ମାଲକାନଗିରି, ୧୧/୧୨ (ସୁଧାଂଶୁ ଶେଖର ମହାନ୍ତି)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିନିକିଆ ମାଲକାନଗିରି ଜିଲ୍ଲା ଆଜି ଗସ୍ତ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏମଭି ୨୬ ଗ୍ରାମରେ ହୋଇଥିବା ଉତ୍ତେଜନା ମୂଳକ ପରିସ୍ଥିତି ଉପରେ ଉପ ମୁଖ୍ୟମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଏଡିଜି ସଞ୍ଜୀବ ପଣ୍ଡା, ଡିଆଇଜି କନୱାର ବିଶାଲ ସି, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ଥିବା ବେଳେ ଉଭୟ ପକ୍ଷଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯାଇଥିଲା।

ଜିଲ୍ଲା ଆଦିବାସୀ ସମାଜ ଓ ଜିଲ୍ଲା ବଙ୍ଗାଳୀ ସମାଜ ଉଭୟ ପକ୍ଷ ନିଜ ନିଜର ଦାବି ଉପସ୍ଥାପନ କରିବା ସହ ଉପ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଥିଲେ। ଉଭୟ ପକ୍ଷଙ୍କ ଦାବି ଶୁଣିବା ପରେ ରାଜ୍ୟ ସରକାରଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଦୁଇ ପକ୍ଷ ମଧ୍ୟରେ ପୂର୍ବଭଳି ସମୂର୍ଣ୍ଣ ରୂପେ ଶାନ୍ତି ଫେରି ଆସିବା ନିମନ୍ତେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରହିଛି । ଜିଲ୍ଲାରେ ପୂର୍ବଭଳି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବାକୁ ଉପ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ। ସେହିପରି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡାକଡି ନଜର ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ଏମଭି ୨୬ ଗ୍ରାମ ରେ କ୍ଷୟକ୍ଷତିର ଆକଳନ କରି ତ୍ୱରିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଧିରେ ଧିରେ ସୁଧୁରୁଛି ଏମଭି-୨୬ ଗ୍ରାମ ର ସ୍ଥିତି। ପ୍ରତ୍ୟେକ ଘର ର କ୍ଷତି ହୋଇଥିବା ସମସ୍ତ ସମ୍ପତ୍ତି କୁ ଅତି ଗୁରୁତର ସହ ଆକଳନ କରୁଛି ଜିଲ୍ଲା ପ୍ରଶାସନ। ତଦନ୍ତରୂପେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମଭି-୨୬ ଗ୍ରାମର ଗ୍ରାମବାସୀଙ୍କୁ କିଚେନ୍ ସେଟ୍, ଆବଶ୍ୟକୀୟ ପୋଷାକ, ମଗ୍, ବାଲ୍ଟି ଓ କମ୍ବଳ ଇତ୍ୟାଦି ଜରୁରୀ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ରେଡକ୍ରସ୍ ରାଜ୍ୟ ଶାଖା କୁ ଅବଗତ କରାଯାଇଛି। ଏମଭି ୨୬ ଗ୍ରାମର ସମୁଦାୟ ୨୩୪ ଟି ଦୋକାନ ଓ ଗୃହ ନିମନ୍ତେ ପ୍ରାୟ ୫ କୋଟି ମୂଲ୍ୟ ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି।

