ମାଲକାନଗିରି,୦୬/୧୨(ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର କୋଇଲିପାରି ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ସାଇକେଲକୁ ମୋଟର ସାଇକେଲ ଧକ୍କା ଦେବା ଫଳରେ ସାଇକେଲ ଚାଳକ ଆହତ ହେବା ସହିତ ସାଇକେଲ ରେ ବସିଥିବା ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିଲେ। ସାଇକେଲରେ ୨ ବ୍ୟକ୍ତି ରହିଥିବା ବେଳେ କୌଣସି କାମରେ କୋଇଲିପାରି ଆସି ନିଜ ଗ୍ରାମ ଦୁରମାଗୁଡା ନିକଟସ୍ଥ ବାନ୍ଧଗୁଡାକୁ ଫେରୁଥିବା ବେଳେ ଗୋଟିଏ ମୋଟର ସାଇକେଲ ଆସି ଅଚାନକ ଉଭୟଙ୍କୁ ଧକ୍କା ଦେଇଥିଲା। ସାଇକେଲରେ ଥିବା ଉଭୟ ଆହତଙ୍କ ନାମ ବାନ୍ଧଗୁଡା ଗ୍ରାମର ରାମା ମାଡ଼କାମୀ ଓ ସିଙ୍ଗା ମାଡ଼କାମୀ ହୋଇଥିବାବେଳେ ଉଭୟ ଆହତଙ୍କୁ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବାଲିମେଳା ବିଧାୟକ ପ୍ରତିନିଧି ଇସାକ ଖୋସଲା ନିଜ କାମ ସାରି ବାଲିମେଳା ଫେରୁଥିବା ବେଳେ ଉଭୟ ଆହତଙ୍କୁ ଦେଖି ସେ ସଙ୍ଗେ ସଙ୍ଗେ ନିଜ ଗାଡିରେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ତାଙ୍କର ପ୍ରାଥମିକ ଚିକିତ୍ସା କରାଇ ମାନବିକତାର ପରିଚୟ ଦେଇଥିଲେ। ତେବେ ରାମାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ତେବେ ଆହତଙ୍କୁ ମେଡିକାଲର ଭର୍ତ୍ତି କରାଇ ମାନବିକତା ର ପରିଚୟ ଦେଇଥିବା ବିଧାୟକ ପ୍ରତିନିଧି ଶ୍ରୀ ଖୋସଲାଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

