ବାରିପଦା, ୦୫/୧୨(ପାଇକପୁଅ)ରାସ୍ତା ପାଇଁ ହେଲା ରାସ୍ତା ରୋକ। ଗାଁ କୁ ଯାଇଥିବା ରାସ୍ତାକୁ ନିଜର ଦର୍ଶାଇ ଜଣେ ବ୍ୟକ୍ତି ଘେରି ଦେବାରୁ ଗାଁରେ ଉତ୍ତେଜନା ସହ ରାସ୍ତାରୋକ କଲେ ଗ୍ରାମବାସୀ। ଗୁରୁବାର ଦିନ ପ୍ରାୟ ୧ ଟାରେ ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧିନ ମହୁଲିଆ ପଞ୍ଚାୟତର ଗୌଡଡିହା ଛକରେ । ମୁଖ୍ୟ ରାସ୍ତାରୁ ମହୁଲିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ଜଣେ ବ୍ୟକ୍ତି ନିଜସ୍ଵ ଜମି ଦର୍ଶାଇ ଘେରି ଦେଇଥିବାରୁ ଗାଁ ଲୋକେ ପ୍ରତିବାଦ କରିଛନ୍ତି। ଏପରିକି ସ୍ଥାନୀୟ ଅମିନ ଜମିର ମାପ କରି ତାହା ରାସ୍ତା ଦର୍ଶାଇବା ପରେ ମଧ୍ୟ ବ୍ୟକ୍ତି ଜଣକ ନିଜସ୍ଵ ଜମି କରି ରାସ୍ତାକୁ ବନ୍ଦ କରି ରଖିଥିଲେ। ସେହି ରାସ୍ତା ବାଟେ ଜଣେ ଗ୍ରାମବାସୀ ଯିବାକୁ ଉଦ୍ୟମ କରିବାକୁ ତାଙ୍କୁ ମାରକ ଆକ୍ରମଣ କରିଛନ୍ତି ସଂପୃକ୍ତ ବ୍ୟକ୍ତି। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଁଚି ଆନ୍ଦୋଳନକାରୀ ଗ୍ରାମବାସୀଙ୍କ ସହ ଆଲୋଚନା କରିଛି । ଗାଁରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ରାସ୍ତା ବନ୍ଦ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାରମ୍ବାର ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ଓ ଗ୍ରମାବସୀ।

