ମାଲକାନଗିରି,୦୪/୧୨ (ସୁଧାଂଶୁ ଶେଖର ମହାନ୍ତି)ମୁଣ୍ଡବିହୀନ ମହିଳାଙ୍କ ମୃତ ଶରୀର ନଦୀରୁ ଉଦ୍ଧାର, ମହିଳାଙ୍କ ମୁଣ୍ଡ ଖୋଜୁଛି ପୋଲିସ। ତେବେ ଆଜି ଏପରି ଏକ ଛାତିଥରା ଘଟଣା ମାଲକାନଗିରି ଜିଲ୍ଲା ପୋଟେରୁ ନଦୀର ଡୁଡୁମେଟଲା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ କୋରୁକୋଣ୍ଡା ବ୍ଲକ ମାରିବେଡା ପଞ୍ଚାୟତର ରାଖେଲଗୁଡା ଗ୍ରାମର ଲାକେ ପଡିଆମୀ(୫୧) ନାମକ ଜଣେ ବିଧବା ମହିଳା ନିଜ ଜମିକୁ କାମ କରିବାକୁ ଗତ ୧ ତାରିଖରେ ଯାଇ ଆଉ ଘରକୁ ଫେରି ନଥିଲେ। ନିଖୋଜ ନେଇ ମହିଳାଙ୍କ ପରିବାର ଲୋକେ ବୁଧବାର କୋରୁକୋଣ୍ଡା ଥାନାରେ ଏତଲା ଦେଇଥିଲେ। ତେବେ ଆଜି ସକାଳୁ ଉକ୍ତ ମହିଳାଙ୍କ ମୁଣ୍ଡ ନଥିବା ମୃତ ଦେହ ପୋଟେରୁ ନଦୀରେ ଭାସି ଯାଇ ଡୁଡୁମେଟଲା ଗ୍ରାମର ମଶାଣି ନିକଟସ୍ଥ ନଦୀ ମୁଣ୍ଡରେ ଏକ ଗଛରେ ଲାଗିଥିବା ଗ୍ରାମବାସୀ ଦେଖିଥିଲେ। ପରେ ପୋଲିସ କୁ ଖବର ଦେବା ପରେ କୋରୁକୋଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରିଥିଲା। ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ମୃତ ମହିଳାଙ୍କ ଜମିକୁ ଲାଗି ଏମଭି-୨୬ ଗ୍ରାମର ୩ ବ୍ୟକ୍ତିଙ୍କ ଜମି ରହିଛି। ଗତ କିଛି ବର୍ଷ ହେବ ମୃତ ମହିଳାଙ୍କ ସହ ଏହି ବ୍ୟକ୍ତିମାନଙ୍କ ଜମିଜମା ବାବଦ କୁ ନେଇ ବଚସା ମଧ୍ୟ ହୋଇ ଆସୁଥିଲା। ତେଣୁ ଏହି ୩ ବ୍ୟକ୍ତି ହିଁ କାଣ୍ଡ ଘଟାଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ କୋରୁକୋଣ୍ଡା ଥାନାରେ କେସ ନଂ ୧୯୭/୨୫ ରେ ଏକ ମାମଲା ରୁଜୁ କରାଯାଇଛି। ସନ୍ଦେହରେ ପୋଲିସ ଥାନାକୁ ଡକାଇ ସମସ୍ତଙ୍କୁ ପଚରାଉଚରା ଆରମ୍ଭ କରିଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ନିମନ୍ତେ କୋରାପୁଟ ରୁ ସାଇଣ୍ଟିଫିକ ଟିମ ଆସି ପହଂଚିଥିବା ଥାନାଧିକାରୀ ହିମାଂଶୁ ଶେଖର ବାରିକ କହିଛନ୍ତି। ବର୍ତ୍ତମାନ ମହିଳାଙ୍କ ମୁଣ୍ଡ ଖୋଜା ପୋଲିସ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତକୁ ଖୋଜି ବାହାର କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଅନୁମାନ କରାଯାଉଛି।

