ମାଲକାନଗିରି,୨୫/୧୧ (ସୁଧାଂଶୁ ଶେଖର ମହାନ୍ତି)ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ଅନ୍ଧାରରେ ଜୀବନଯାପନ କରୁଛନ୍ତି ଗ୍ରାମବାସୀ। ଏଯାଏଁ ଦେଖି ନାହାନ୍ତି ବିଜୁଳି ଆଲୋକ। ଏଭଳି ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଅଙ୍ଗୁରୁଗୁଡା ଗ୍ରାମବାସୀ। ବହୁ ସମୟରେ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କୁ ଗ୍ରାମବାସୀ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ। ଗ୍ରାମର ଆଖପାଖ ଗ୍ରାମ ଗୁଡିକରେ ବିଦ୍ୟୁତ ସଂଯୋଗ ରହିଥିବା ବେଳେ ଅଙ୍ଗୁରୁଗୁଡା ଗ୍ରାମରେ ବର୍ତ୍ତମାନ ସୁଦ୍ଧା ବିଜୁଳି କାହିଁକି ପହଁଚି ପାରୁ ନାହିଁ ଏନେଇ ପ୍ରଶାସନ କୁ ଓଲଟା ପ୍ରଶ୍ନ କରିଛନ୍ତି ଗ୍ରାମବାସୀ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ପଂଚାୟତରେ ଦିଆଯାଉଥିବା ରାସନରେ କିରୋସିନ ଦିଆଯାଉ ନଥିବା ହେତୁ ଡବି ଟିଏ ମଧ୍ୟ ଜାଳି ପାରୁନାହାନ୍ତି ଗ୍ରାମବାସୀ। ରାତ୍ରି ସମୟରେ ଅନ୍ଧକାର କାରଣରୁ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ବ୍ୟାଘାତ ହେଉଛି। ବିଭିନ୍ନ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଙ୍କ ଶିକାର ହେଉଥିବା କହିଛନ୍ତି ଗ୍ରାମବାସୀ। ବିଭିନ୍ନ ଅଧିକାରୀ ମାନେ ବହୁ ସମୟରେ ଉକ୍ତ ଗ୍ରାମକୁ ଗସ୍ତ କରି ବିଦ୍ୟୁତ ସଂଯୋଗୀକରଣର ପ୍ରତିଶ୍ରୁତି ଦେଇଛନ୍ତି ସତ କିନ୍ତୁ ତାହା ଯେପରି ପାଣିରେ ଗାର ପରି। ତେଣୁ ତୁରନ୍ତ ସେମାନଙ୍କ ଗ୍ରାମରେ ବିଦ୍ୟୁତ ସଂଯୋଗୀକରଣ ନିମନ୍ତେ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

