
ଜଗତସିଂହପୁର,୨୪/୧୧(ପାଇକପୁଅ)ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ କୁଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଆୟୋଜିତ “ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା – ୨୦୨୫”କୁ ଉଦଘାଟନ କରିବା ସହ କୃଷି ରଥର ଶୁଭାରମ୍ଭ କଲି।
ମତ୍ସ୍ୟ ଚାଷୀମାନଙ୍କୁ ପ୍ରୋତ୍ସାହନ ଦେବା ତଥା ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀକୁ ବହୁଗୁଣିତ କରି ଏହି କ୍ଷେତ୍ରରେ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଆମ ସରକାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଓ ଓଡିଶା ମତ୍ସ୍ୟଜୀବୀ ଉନ୍ନୟନ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ସହ ଆକ୍ୱା ଲ୍ୟାବ୍ ଭବନ ଖୋଲିଛନ୍ତି ଏବଂ ଓଡ଼ିଶା ମତ୍ସ୍ୟ ୱେବ୍ ପୋର୍ଟାଲ୍ ମଧ୍ୟ ଆରମ୍ଭ କରିଛନ୍ତି।ଏହାସହିତ ସାମୁଦ୍ରିକ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାରେ ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ ଡାଟ୍, ଲାଇଫ୍ ବୟ, ଲାଇଫ୍ ଜ୍ୟାକେଟ୍, ଜିପିଏସ୍ ଆଦି ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି।
ପ୍ରାଣୀ ସମ୍ପଦ ବିକାଶକୁ ଗୁରୁତ୍ୱ ଦେଇ ଆମ ସରକାର ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ୟୁନିଟ୍, ଆନିମଲ୍ ହେଲ୍ପଲାଇନ୍, ଟେଲି ଭେଟେନାରୀ ସର୍ଭିସ୍ ଭଳି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦ୍ଵିଗୁଣିତ କରିବା ତଥା ଗୋପାଳନକୁ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ରାଷ୍ଟ୍ରୀୟ ଗୋକୁଳ ମିଶନ ଅଧୀନ, କାମଧେନୁ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି l ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋମାତା ଯୋଜନା ଏବଂ ବିଭିନ୍ନ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି।
କୁକୁଡ଼ା ଚାଷର ବିକାଶ ପାଇଁ ବ୍ରଏଲର ଫାର୍ମିଂ ସହିତ ଛେଳି, ମେଣ୍ଢା ଓ ଘୁଷୁରୀ ପାଳନ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ଦିଆଯାଉଛି। ଆଜିର ପରିବର୍ତ୍ତିତ ସମୟରେ ଆମ ସରକାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଜୀବିକା ନିର୍ବାହ, ଆତ୍ମନିର୍ଭରଶୀଳ ଏବଂ ଦୀର୍ଘ ସ୍ଥାୟୀ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉଛନ୍ତି।ଏହି ଅବସରରେ ବ୍ଲକର ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ପ୍ରୋତ୍ସାହନ ରାଶି ଏବଂ ନୂତନ କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଗଲା।

