କୋଣାର୍କ,୨୧/୧୧(ଗଙ୍ଗାଧର ବେଉରା)ଶୁକ୍ରବାର ସନ୍ଧ୍ୟାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା“ଲାଇଟ୍ ଏବଂ ସାଉଣ୍ଡ୍ ଶୋ ଉନ୍ନତି କରଣ ପ୍ରକଳ୍ପ” କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ଘାଟନ କରିଛନ୍ତି।ଏହିପ୍ରକଳ୍ପରେ ଅତ୍ୟାଧୁନିକ ଓ ଉଚ୍ଚ-ରିଜୋଲ୍ୟୁସନ୍ ଡିଜିଟାଲ୍ ୮ ଗୋଟି ଲେଜର୍ ପ୍ରୋଜେକ୍ଟରକୁ ନୂତନ ଭାବେ ସ୍ଥାପନ କରାଯାଇ ଥିବା ବେଳେ ଗୋଟେ ସୋ ରେ ୩୦୦ ଜଣ ପର୍ଯ୍ୟଟକ ମୁକ୍ତାକାଶ ତଳେ ବସି ଏହାକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି।ଏହି ସୋ ରେ କୋଣାର୍କ ସୂର୍ଯ୍ୟମନ୍ଦିର ପ୍ରତ୍ୟେକ ଶିଳ୍ପକଳା, ପ୍ରତ୍ୟେକ ଢାଞ୍ଚା,ପ୍ରତ୍ୟେକ ଐତିହାସିକ ଅଭିବ୍ୟକ୍ତି ଅତ୍ୟନ୍ତ ସ୍ପଷ୍ଟ ଓ ଜୀବନ୍ତ ଭାବରେ ଆଲୋକରେ ପ୍ରକାଶିତ କରୁଥିବା ଦେଖିବାକୁ ମିଳିଛି ।

ପ୍ରଥମ ଥର ପାଇଁ ଦର୍ଶକଙ୍କ ପାଇଁ ସମ୍ପୂର୍ଣ୍ଣ ହେଡଫୋନ୍-ଆଧାରିତ ବ୍ୟବସ୍ଥାକୁ ବଦଳାଯାଇ ଏକ ଆଧୁନିକ, ଓପନ୍-ସରାଉଣ୍ଡ ସାଉଣ୍ଡ ସିଷ୍ଟମ୍ ର ବ୍ୟବସ୍ଥା କରାଯାଇଛି, ଯାହା ପର୍ଯ୍ୟଟକଙ୍କୁ ସୂର୍ଯ୍ୟମନ୍ଦିରର ଐତିହାସିକ କାହାଣୀ ଶୁଣିବାକୁ ଶୃତିମଧୁର ଅନୁଭୁତି ଦେବ।ପ୍ରତ୍ୟେକ ଦିନ ୬.୩୦ ମିନିଟ ରୁ ୭ଟା ପର୍ଯ୍ୟନ୍ତ ଏହା ଚାଲିବ ।ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଦୁଇଟି ସୋ ଚାଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।ଉଦଘାଟନ କରିବା ପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ଉଚ୍ଚ ପ୍ରଶାସନିକ ଅଧିକାରୀମାନେ ଏହି ସୋକୁ ବସି ଉପଭୋଗ କରିଥିଲେ। ସାଉଣ୍ଡ୍ ଆଣ୍ଡ ସୋ ର ଉନ୍ନତୀକରଣ ପ୍ରକଳ୍ପ କେବଳ ଏକ ପ୍ରକଳ୍ପ ନୁହେଁ,ଏହା ହେଉଛି ଆମ ଐତିହ୍ୟ ପ୍ରତି ସରକାରର ସଂକଳ୍ପ, ପର୍ଯ୍ୟଟନ ପ୍ରତି ଦୃଷ୍ଟିଭଙ୍ଗୀ ଏବଂ ଭବିଷ୍ୟତ ପୀଢ଼ି ନିମନ୍ତେ ଏହାର ଗୌରବକୁ ବହନ କରୁଥିବା ଏକ ଆହ୍ୱାନ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

