ବାରିପଦା,୨୧/୧୧(ପାଇକପୁଅ)ବାରିପଦା ସ୍ଥିତ ଜ଼ିଲ୍ଲା ପରିଷଦ ସଭା ଗୃହରେ ରାଷ୍ଟ୍ରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି।
ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଜିଲ୍ଲା ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ସବିତା ମାଝୀ, ପ୍ରୋଗ୍ରାମ ଅଫିସର ସସ୍ମିତା ମହାନ୍ତି, ଶିଶୁ ମଙ୍ଗଳ ସମିତିର ସଦସ୍ୟ ମନମୋହନ ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଶିଶୁଙ୍କୁ ସୁରକ୍ଷା ଯୋଗାଇ ଦେବା ଆମ ସମସ୍ତଙ୍କର ନୈତିକ କର୍ତବ୍ୟ ବୋଲି କହିବା ସହ ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ପୋଷ୍ୟ ସନ୍ତାନ ଗ୍ରହଣ ତଥା ପ୍ରତିପାଳନ ଯତ୍ନ ପ୍ରକ୍ରିୟାକୁ ନ୍ୟାୟ ସଙ୍ଗତ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ।ଶିଶୁ ମଙ୍ଗଳ ସମିତିର ସଦସ୍ୟ ମନମୋହନ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ଅମର କୁମାର ଦେ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ବ୍ୟବସ୍ଥା ଏବଂ ଶିଶୁ ଯତ୍ନ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଚାରିଜଣ ପିତାମାତା ତଥା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ନବଜାତ ଶିଶୁଙ୍କୁ ଉଦ୍ଧାର କରି ମହନିୟତାର ପରିଚୟ ଦେଇଥିବା ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯିବା ସହ ପରିତ୍ୟକ୍ତ ଅବସ୍ଥାରେ ଥିବା ଶିଶୁଙ୍କୁ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟରେ ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ରାସଗୋବିନ୍ଦପୁର ବ୍ଲକ ସିଡିପିଓ ମାଳତୀ ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଦିଲୀପ କୁମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

