ବାରିପଦା,୧୬/୧୧(ପାଇକପୁଅ) ବାରିପଦା ଠାରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭା ଗୃହରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାୟକ ମୁଖ୍ୟ ଅତିଥି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମ ନିଜର ବିଶ୍ବସନିୟତା ହରାଇଲେ ଗଣତନ୍ତ୍ର ଭୁଶୁଡି ପଡିବ ବୋଲି କହିଥିଲେ. ପ୍ରାରମ୍ଭରେ ଅତିଥି ବୃନ୍ଦଙ୍କ ସହିତ ବର୍ଷୀୟାନ ସାମ୍ୱାଦିକ ରାମଚନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏହି ଅବସରରେ ନିକଟ ଅତୀତରେ ଜିଲ୍ଲାର ୨ଜଣ ସାମ୍ବାଦିକଙ୍କ ଦେହାନ୍ତ ହୋଇଥିବାରୁ ସେମାନଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ,ଦିଆଯାଇଥିବା ବିଷୟ ବସ୍ତୁ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱସନୀୟତାର ସଂରକ୍ଷଣ ଉପରେ ଗୋଲୋକ ମହାରଣା, ଅରୁଣ ଓତା, ରାମଚନ୍ଦ୍ର ଦାସ, କୃଷ୍ଣଚୈତନ୍ୟ ସଦୁଆଳ, ରମାନାଥ ବାରିକ, ମନୋଜ ପଣ୍ଡା, ତୁଷାର ମହାନ୍ତ, ସୁକୁମାର ରଞ୍ଜନ ପ୍ରଧାନ, ପ୍ରତିମା ବାରିକ ପ୍ରମୁଖ ସାମ୍ବାଦିକ ନିଜ ନିଜ ମତାମତ ରଖିଥିଲେ।ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦଳା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

