ମାଲକାନଗିରି,୧୦/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ମାରି୍ୱାଡା ଗ୍ରାମ ପଞ୍ଚାୟତ ଅଧୀନ କୁଟିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ବିପଦ ସଂକୁଳ ଅବସ୍ଥାରେ ନଦୀ ପାର କରୁଛନ୍ତି କୁନି କୁନି ଶିଶୁ ଙ୍କ ସମେତ ଗ୍ରାମବାସୀ। ଗ୍ରାମବାସୀଙ୍କ କହିବାନୁଯାୟୀ ନଦୀ ଆରପାରୀ ଗାଁର ବହୁ ଚାଷ ଜମି ରହିଥିବା ବେଳେ ପ୍ରତ୍ୟେକ ଦିନ ଯିବା ଆସିବା କରିବାକୁ ପଡିଥାଏ। ଏପରି ସ୍ଥଳେ କିଛି ଗ୍ରାମବାସୀ ଚାଷ ଜମିରେ ଛୋଟିଆ ଛୋଟିଆ କୁଡ଼ିଆ କରି ରହିଥାଆନ୍ତି। ବିଭିନ୍ନ ସମୟରେ ଗାଁକୁ ଯିବା ଆସିବା କଲେ କିମ୍ବା କୌଣସି କାମରେ ପଞ୍ଚାୟତକୁ ଆସିବାକୁ ହେଲେ ଛୋଟ ଛୋଟ ପିଲାଙ୍କୁ ଡେ଼କଚିରେ ଭରି ବିପଦ ସଂକୁଳ ଅବସ୍ଥାରେ ନଦୀ ପାର କରିବାକୁ ପଡିଥାଏ। ବିଭିନ୍ନ ସମୟରେ ପଞ୍ଚାୟତ ପ୍ରଶାସନ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା କହିଛନ୍ତି ଗ୍ରାମବାସୀ।

ନିର୍ବାଚନ ସମୟରେ ନେତା ମାନେ ଆସି ପ୍ରତିଶୃତି ଦେଉଛନ୍ତି ସତ କିନ୍ତୁ ତାହା ଯେପରି ପାଣିରେ ଗାର ସଦୃଶ। ସୂଚନା ଥାଉକି କିଛି ବର୍ଷ ପୂର୍ବେ ଶବ ସସ୍କାର କରିବା ନିମନ୍ତେ ମଧ୍ୟ ଏହିପରି ଭାବେ କିଛି ଡେ଼କଚିକୁ ବାଉଁଶ ବାନ୍ଧି ଭେଳା ସାହାଯ୍ୟରେ ପାର କରାଯାଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏବଂ ସେହି ଖବର ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଅଧିକାରୀ ଗାଁକୁ ଯାଇ ପୋଲ ନିର୍ମାଣ କରିବା ନେଇ ପ୍ରତିଶୃତି ଦେଇ ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ କୌଣସି ସୁବିଧା ନଥିବା କାରଣରୁ ଆଜିବି ଏପରି ଭାବେ ନିଜ ଜୀବନ ସହିତ ଛୋଟ ଛୋଟ ପିଲା ଛୁଆଙ୍କ ଭରା ନଦୀରେ ବାଜି ଲଗାଈ ଡେକଚି ସାହାର୍ଯ୍ୟ ରେ ପାର ହେବାକୁ ବାଧ୍ୟ ହେଉଛନ୍ତି। ଆଗାମୀ ଦିନରେ ଏନେଇ କଣ ପଦକ୍ଷେପ ନିଆଯାଉଛି ତାକୁ ଦେଖିବାକୁ ଚାହିଁ ବସିଥିବା କହିଛନ୍ତି କୁଟିଗୁଡା ଗ୍ରାମବାସୀ।

