ମାଲକାନଗିରି,୦୭/୧୧ (ସୁଧାଂଶୁ ଶେଖର ମହାନ୍ତି)ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ମନମୁଖୀ ଶାସନ, ନିଜ ମନ ମୁତାବକ ବର୍ଷ ବର୍ଷ ସଂଖ୍ୟା ଗୋଟିଏ ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟ କରି ସେଠାରୁ ଅବସର ନେଇ ଘରକୁ ଫେରୁଛନ୍ତି ଅଧିକାରୀ। ଏଥିସହ ଆଜିକୁ ଦୀର୍ଘ ୮ ବର୍ଷ ହେବ ଜଳ ବିଦ୍ୟୁତ କେନ୍ଦ୍ରର ବିଦ୍ୟୁତ ଉତ୍ପାଦନ ହେଉଥିବା ସମସ୍ତ ଟରବାଇନ ମେସିନ କାର୍ଯ୍ୟ ମରାମତି ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପୁଣି ଦେଖାଦେଉଛି ଯାନ୍ତ୍ରିକ ତ୍ରୁଟି। ଏପରି ନାନାଦି ସମସ୍ୟା ଘେରରେ ରହିଛି ମାଲକାନଗିରି ଜିଲ୍ଲା ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର। ଏହି ଜଳ ବିଦ୍ୟୁତ କେନ୍ଦ୍ର ହେଉଛି ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ଜଳ ବିଦ୍ୟୁତ କେନ୍ଦ୍ର। କିନ୍ତୁ ଓଡ଼ିଶାର ସବୁଠାରୁ ଶେଷ ଜିଲ୍ଲା ୩୦ ନଂ ଜିଲ୍ଲାରେ ଏହି ଜଳ ବିଦ୍ୟୁତ କେନ୍ଦ୍ର ରହିଥିବା ହେତୁ ଏଠି ବର୍ଷ ତମାମ କୌଣସି ସରକାରୀ ଅଧିକାରୀ କିମ୍ବା ମନ୍ତ୍ରୀ ଙ୍କ ପାଦ ପଡେନି। ତେଣୁ ଏଠିକାର ଅଧିକାରୀ ମାନେ ନିଜ ମନ ମୁତାବକ ଶାସନ ଚଳାଇଥିବାର ନଜିର ବିଭିନ୍ନ ସମୟରେ ରହିଛି। ଏଠି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଦୈନିକ ଦରମା ପ୍ରାପ୍ତ କର୍ମଚାରୀ ଏବଂ ବିଭିନ୍ନ ଏଜେନ୍ସି ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କାର୍ଯ୍ୟରତ। ତେବେ ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ ଏହିକି ଯେ ଏଠି ଏମିତି ବି କିଛି କର୍ମଚାରୀ/ଅଧିକାରୀ ଅଛନ୍ତି ଯେଉଁମାନେ ନିଜର ଚାକିରୀ ପାଇବା ପରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରୁ ନିଜର କାମ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୧୨ ରୁ ୧୫ ବର୍ଷ ଉକ୍ତ ଅଧିକାରୀ ମାନେ ଏଠି ହିଁ କାର୍ଯ୍ୟରତ ଅଛନ୍ତି। ସେମାନଙ୍କର ଆଜିଯାଏଁ ଅନ୍ୟତ୍ର ବଦଳି ମଧ୍ୟ ହୋଇନାହିଁ। ତେବେ ଗୋଟିଏ ପ୍ଲାଣ୍ଟ ରେ ଦୀର୍ଘ ବର୍ଷ ଧରି ଏଠି କୋଳି ଖାଇ ମଞ୍ଜି ପୋତିବା ପରି ଅଧିକାରୀ ମାନେ ରହି ନାନାଦି କ୍ଷେତ୍ରରୁ ବିଭିନ୍ନ ମାଧ୍ୟମରେ ସରକାରୀ ଟଙ୍କା ହଡପ କରୁଥିବା ଘଟଣା ସାଧାରଣରେ ଆଲୋଚନା ହେଉଛି। ଏଥି ସମେତ ଜଳ ବିଦ୍ୟୁତ କେନ୍ଦ୍ରର କିଛି ବରିଷ୍ଠ ଅଧିକାରୀଙ୍କ ଛତ୍ରଛାୟା ତଳେ ଉକ୍ତ ଅଧିକାରୀ ମାନେ ରହି ତାଙ୍କର ସାଲିସ କରି କାମ କରୁଥିବାରୁ ସେମାନଙ୍କୁ ଅନ୍ୟତ୍ର ବଦଳି କରାଯାଉନଥିବା ସାଧାରଣରେ ଆଲୋଚନା ହେଉଛି। ଏଥିସହ ଆଜିକୁ ଦୀର୍ଘ ୮ ବର୍ଷ ପୂର୍ବେ ଜଳ ବିଦ୍ୟୁତ କେନ୍ଦ୍ରର ଟରବାଇନ ମେସିନ ଗୁଡିକ ମରାମତି ବାବଦକୁ ୩୦୦ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା। ଉକ୍ତ ଟେଣ୍ଡର ଟିକୁ ବିଏଚଏଲ ନାମକ ଏକ ଠିକାଦାରୀ ସଂସ୍ଥା ପାଇ କାର୍ଯ୍ୟ ଆରମ୍ଭ କଲା ସତ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରିଲା ନାହିଁ। ସର୍ବମୋଟ ୮ ଗୋଟି ଟରବାଇନ ମେସିନ ରହିଥିବା ବେଳେ ୬ ଟି ମେସିନ ଚାଲିବା କଥା କିନ୍ତୁ ଏହି ଜଳ ବିଦ୍ୟୁତ କେନ୍ଦ୍ର କତ୍ତୃପକ୍ଷ ଙ୍କ ଅବହେଳା ହେତୁ ଉକ୍ତ କାର୍ଯ୍ୟ ମଧ୍ୟ ସମୟ ସୀମା ମଧ୍ୟରେ ଶେଷ ହୋଇପାରିଲା ନାହିଁ। ବିଏଚଏଲ କମ୍ପାନୀ କିଛି ମେସିନ ର ସମ୍ପୂର୍ଣ୍ଣ ମରାମତି କରି ବିଭାଗକୁ ହସ୍ତାନ୍ତର କରିବା ପରେ ମଧ୍ୟ ପୁନଃ ଯାନ୍ତ୍ରିକ ତ୍ରୁଟି ଦେଖାଯାଉଥିବାର ମଧ୍ୟ ବିଗତ ଦିନରେ ନଜିର ରହିଛି। ତେଣୁ ଏଥି ନିମନ୍ତେ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ମଧ୍ୟ ହାନି ହେଉଛି। ସବୁ ଜାଣି ମଧ୍ୟ ନୀରବଦ୍ରଷ୍ଟା ସାଜିଛି ଜଳ ବିଦ୍ୟୁତ କେନ୍ଦ୍ର କତ୍ତୃପକ୍ଷ। ତେବେ ବିଏଚଏଲ କମ୍ପାନୀ ଏବଂ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ଏଯାଏଁ କୌଣସି ପଦକ୍ଷେପ ନେଉନି ବିଭାଗ। ତେବେ ୨୪ ବର୍ଷର ସରକାର ଭୁଷୁଳି ବିଜେପି ସରକାର ରାଜ୍ୟରେ ସରକାର ଗଠନ କରିବା ପରେ ଏହି ଜଳ ବିଦ୍ୟୁତ କେନ୍ଦ୍ରର କାର୍ଯ୍ୟରେ କିଛି ସୁଧାର ଆସିବ ବୋଲି ଅଞ୍ଚଳବାସୀ ଅନୁମାନ କରୁଥିଲେ ସତ କିନ୍ତୁ ତାହା ବର୍ତ୍ତମାନ ଯେପରି ପାଣିରେ ଗାର ପରି ରହିଯାଇଛି। ସବୁଠାରୁ ଚକ୍କିତ କରିବା ପରି ଘଟଣା ହେଉଛି କିଛି ଅଧିକାରୀ ମାନଙ୍କ ଆଜକୁ ୨ ବର୍ଷ ହେବ ବଦଳି ନେଇ ଚିଠି ଜାରି ହୋଇଥିଲେ ମଧ୍ୟ ଉକ୍ତ ଅଧିକାରୀ ମାନେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ଛାଡି ଯିବାକୁ ନାରାଜ, କାହିଁକିନା ଏଠି କୌଣସି ରାଜନୈତିକ ଦଳ କିମ୍ବା ମନ୍ତ୍ରୀ ହସ୍ତକ୍ଷେପ କରୁନଥିବା ହେତୁ ଅତି ଚଞ୍ଚକତାର ସହ ଟଙ୍କା ଆତ୍ମସାତ କରି ମିଳିତ ଭାବେ ଖାଉଛନ୍ତି ଅଧିକାରୀ। ତେଣୁ ବଦଳି ହେବା ନେଇ ଚିଠି ସରକାର/ବିଭାଗ ପକ୍ଷରୁ ଜାରି ହୋଇଥିଲେ ମଧ୍ୟ ତାକୁ ପାଦରେ ଆଡେଇ ଦେଉଛନ୍ତି ଏହି ଅଧିକାରୀ। ଏଥିସହ ବିଭାଗୀୟ ସରକାରୀ କ୍ୱାଟର୍ସ ମଧ୍ୟ କିଛି ଅଧିକାରୀ ୨ ରୁ ୩ ଟି ଲେଖାଏଁ ନିଜ ନାମରେ କରି ଭଡାରେ ଲଗାଇଛନ୍ତି କ୍ୱାଟର୍ସ। ପୁଣି କିଛି କ୍ୱାଟର୍ସ ମଧ୍ୟ ସ୍ଥାନୀୟ ଅଞ୍ଚଳର କିଛି ଅସାଧୁ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ଏବଂ ଯେଉଁ ଅଧିକାରୀ ଜଣଙ୍କ କ୍ୱାଟର୍ସ ଗୁଡିକ ବିକ୍ରି କରିଛନ୍ତି ବର୍ତ୍ତମାନ ଉକ୍ତ ଅଧିକାରୀ ଜଣକଙ୍କ ଅନ୍ୟତ୍ର ବଦଳି ହୋଇଯାଇଛି। ବିଭିନ୍ନ ବିଭାଗରେ ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କ ଛାଟ ପଡୁଛି ସତ କିନ୍ତୁ ନାନାଦି ସମସ୍ୟା ମଧ୍ୟରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ରହିଥିଲେ ସୁଦ୍ଧା ଏଠି କୌଣସି ନେତା ମନ୍ତ୍ରୀ କିମ୍ବା ଅଧିକାରୀଙ୍କ ନଜର ପଡୁ ନଥିବା ହେତୁ ତେଲିଆ ମୁଣ୍ଡ ରେ ତେଲ ପରି ମାଲେମାଲ ହେଉଛନ୍ତି ଅଧିକାରୀ। ତେବେ ତୁରନ୍ତ ଏଠୁ ବର୍ଷ ବର୍ଷ ଧରି ଚାକିରୀ କରୁଥିବା ଅଧିକାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯାଇ ଯଦି କିଛି ନୂତନ ଅଧିକାରୀଙ୍କ ଏହି ଜଳ ବିଦ୍ୟୁତ କେନ୍ଦ୍ରରେ ପାଦ ପଡ଼ନ୍ତା ତାହେଲେ ଜଳ ବିଦ୍ୟୁତ କେନ୍ଦ୍ରର କୌଣସି କାର୍ଯ୍ୟରେ ଯାନ୍ତ୍ରିକ ତ୍ରୁଟି କିମ୍ବା ବାଧା ଉପୁଜିନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଉପରୋକ୍ତ ସମସ୍ୟା ଗୁଡିକ ପ୍ରତି ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଆମେ ଓଏଚପିସି ଏସଜିଏମ ଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଆମ କଲ ଗ୍ରହଣ କରିନଥିଲେ।

