ମାଲକାନଗିରି,୦୭/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ସମସ୍ତ ୧୨ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମିଳିତ ହୋଇ ଚିତ୍ରକୋଣ୍ଡା ଏବଂ ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ କାର୍ଯ୍ୟ ବିରୋଧରେ ଏକ ଦାବିପତ୍ର କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ ସାହୁଙ୍କୁ ପ୍ରଦାନ କରିଛନ୍ତି I ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ବିକଶିତ ଗ୍ରାମ ବିକଶିତ ଓଡିଶା କାର୍ଯ୍ୟକ୍ରମ ମାଧ୍ଯମରେ ଗ୍ରାମର ବିକାଶ ଦିଗରେ ବିଭିନ୍ନ ଉନ୍ନୟନ ମୂଳକ କାମ ହେଉଛି ଏବଂ ଗ୍ରାମର କେଉଁ କେଉଁ କାମ ହେବ ଗ୍ରାମସଭା, ପଲ୍ଲୀସଭାରେ ସ୍ବୀକୃତି ପାଇ ସରକାରଙ୍କ ଅନୁମୋଦନ ପାଇଁ ଯାଉଛି। ଏବଂ ସେଥୁ ମଧ୍ୟରୁ ୪୦ ପ୍ରତିଶତ ଉନ୍ନୟନମୂଳକ କାର୍ଯ୍ୟ ଉଭୟ ବିଧାୟକ ନିଜ ଇଚ୍ଛା ମୁତାବକ ଦେବାର ପ୍ରାବଧାନ ଅଛି। କିନ୍ତୁ କାମ ଗୁଡିକ ଅନୁମୋଦନ ହୋଇ ଆସିଲା ପରେ ଉଭୟ ବିଧାୟକ ସମସ୍ତ କାମ ନିଜ ଦଳୀୟ ତଥା ବିଜେପି ଏବଂ କଂଗ୍ରେସ କର୍ମୀ କରିବେ ବୋଲି ବ୍ଲକ ପ୍ରଶାସନକୁ ଚାପ ପକାଉଛନ୍ତି। ଫଳରେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଉନ୍ନୟନ କାମ ଗୁଡିକରେ କୌଣସି ଭୂମିକା ରହୁନାହିଁ | ତେଣୁ କୋରୁକୋଣ୍ଡା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ିଙ୍କ ନେତୃତ୍ୱରେ ବ୍ଲକର ସମସ୍ତ ସରପଞ୍ଚ ଏବଂ ସମିତିସଭ୍ୟ ଏକାଠି ହୋଇ ଉଭୟ ଚିତ୍ରକୋଣ୍ଡା ଏବଂ ମାଲକାନଗିରି ବିଧାୟକ କେଉଁ ଅଧିକାରରେ ସମସ୍ତ କାମକୁ ନିଜ ନିଜ ପାର୍ଟିର କର୍ମୀଙ୍କ ଭିତରେ ବାଣ୍ଟିବାକୁ ଦାବିକରୁଛନ୍ତି ବୋଲି ବିଡିଓଙ୍କୁ ପ୍ରଶ୍ନ କରିଥିଲେ ବ୍ଲକ ଅଧିନସ୍ଥ ସମସ୍ତ ଜନ ପ୍ରତିନିଧି। ଆସିଥିବା ସମସ୍ତ କାମରେ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କ ଅଗ୍ରାଧିକାର ରହୁ ବୋଲି ଦାବି କରିବା ସହ ଏକ ଲିଖିତ ଅଭିଯୋଗ ଆଜି ପ୍ରଦାନ କରିଥିଲେ। ଏବଂ ଆଗାମୀ ଦିନରେ ଯଦି ଏହି ପ୍ରଥା ବନ୍ଦ ନହୁଏ ତେବେ ଆଗାମୀ ଦିନରେ ବ୍ଲକ ଅଚଳ କରିବାକୁ ବ୍ଲକ ଅଧ୍ୟକ୍ଷତାରେ ଶ୍ରୀ ବୁରୁଡି ଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି।

