ମାଲକାନଗିରି,୦୬/୧୧ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅନ୍ତର୍ଗତ ସହରରେ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଏବଂ କୋରୁକୋଣ୍ଡା ବିଡ଼ିଓ ଅମୂଲ୍ୟ କୁମାର ସାହୁ ପ୍ରଥମେ ବାଲିମେଳା ଏନଏସି କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଆଗାମୀ ଦିନରେ କେଉଁ ସବୁ କାର୍ଯ୍ୟ ହାତକୁ ନିଆଯିବ ଯେପରିକି ନୂତନ ଏନଏସି କାର୍ଯ୍ୟାଳୟ ଗୃହ ଏବଂ ବିଭିନ୍ନ ନୂତନ ସହରୀ ବିକାଶ ଯୋଜନା , ମାର୍କେଟ କମ୍ପ୍ଲେକ୍ସର ନିର୍ମାଣ ସମ୍ପର୍କରେ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ଏବଂ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ଏକ ଏନଫୋର୍ସମେଣ୍ଟ ଟିମ ଗଠନ କରି ତୁରନ୍ତ ବାଲିମେଳା ସହରର ବିଭିନ୍ନ ରାସ୍ତା କଡ଼ରେ ବସୁଥିବା ଉଠା ବ୍ୟବସାୟୀ ମାନଙ୍କୁ ଦୈନିକ ବଜାରରେ ଥିବା ଦୋକାନ ଗୁଡିକରେ ଥଇଥାନ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ସେହିପରି ମେଡିକାଲ ଛକ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖ ରାସ୍ତାର ଅପର ପାର୍ଶ୍ୱରେ ତଳ ମହଲାରେ ମାର୍କେଟ କମ୍ପ୍ଲେକ୍ସ କରାଯିବା ସହ ଉପର ମହଲାରେ ଏକ ସିନେମା ହଲର ନିର୍ମାଣ କରାଯିବା ନେଇ ଆଲୋଚନା ହୋଇଥିଲା। ଏହା ପରେ ସେଠାରୁ ସିଧାସଳଖ କଳିଙ୍ଗ ଆଦର୍ଶ ବିଦ୍ୟାଳୟ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ତାଙ୍କର ଭଲମନ୍ଦ ସମ୍ପର୍କରେ ସବିଶେଷ ପଚାରିଥିଲେ। ଏବଂ ପିଲାଙ୍କୁ ପାଠ ପଢ଼ାଇଥିଲେଏ ସମ୍ପର୍କରେ ବାଲିମେଳା ଏନଏସି ନିର୍ବାହୀ ଅଧିକାରୀ ଶ୍ରୀ ଦୋରାଙ୍କୁ ପଚାରିବାରୁ ମାର୍କେଟ କମ୍ପ୍ଲେକ୍ସ ଓ ସହରୀ ବିକାଶକୁ ଗୁରୁତ୍ବ ଦିଆଯାଇଛି। ସେହିପରି ସିନେମା ହଲ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଚୟନ ହୋଇନାହିଁ। ଖୁବଶୀଘ୍ର ସ୍ଥାନ ସ୍ଥିର କରି ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି। ଜିଲ୍ଲାପାଳ ଏନେସିରୁ ଫେରିବା ସମୟରେ ଚିତାପାରୀ-୩ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।

