ମାଲକାନଗିରି,୦୬/୧୧ (ସୁଧାଂଶୁ ଶେଖର ମହାନ୍ତି)ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ସୌଜନ୍ୟରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ କୋରୁକୋଣ୍ଡା ବ୍ଲକ ସଦର ଖେଳ ପଡ଼ିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡ଼ି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଗଗନ ଚରଣ ନାୟକ ମଞ୍ଚ ପରିଚାଳନା କରିଥିଲେ। ଏଥି ସମେତ ଆବାହକ ଭାବେ ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଅବିନାଶ ମାଝୀ, ସହ ଆବାହକ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ସୌମେନ୍ଦୁ ବେହେରା, ଏସଡ଼ିଭିଓ ଡାକ୍ତର ରାଜେଶ କୁମାର କଅଁର, ମାଲକାନଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ମୁୟା ମଡକାମୀ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ମାଲକାନଗିରି ବ୍ଲକ ସହକାରୀ ମତ୍ସ୍ୟ ଅଧିକାରିଣୀ ଇତିଶ୍ରୀ ଦାସ, ଜିଲା ଓମ୍ଫେଡ ଦାୟିତ୍ୱରେ ଥିବା ଅଧିକାରିଣୀ ମାନସୀ କର ପ୍ରମୁଖ ମଞ୍ଚାସୀନ ଥିଲେ। ପାରମ୍ପରିକ ଚାଷ ବଦଳରେ ସମନ୍ବିତ ଚାଷ, ଉନ୍ନତ ଜ୍ଞାନ କୌଶଳ ଉପଯୋଗ କରି ଅଧିକା ଉତ୍ପାଦନ, ମତ୍ସ୍ୟ ଚାଷ, ଗୋପାଳନ, ଉଦ୍ୟାନ କୃଷିକୁ ଉପଯୋଗ କରିବା ନିମନ୍ତେ ଉପସ୍ଥିତ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଜିଲ୍ଲା ପ୍ରାଣୀ ଚିକିତ୍ସକ ଡାକ୍ତର ଶ୍ରୀ ନାୟକ ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ କୃଷିକୁ ଗୁରୁତ୍ବ ଦେବା ନିମନ୍ତେ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ କୃଷି, ପଶୁପାଳନ, କୁକୁଡ଼ା, ଛେଳି, ମତ୍ସ୍ୟ, ଯାଅଁଳ ଚାଷ, ଉଦ୍ୟାନ କୃଷି ଆଦି କ୍ଷେତ୍ରରେ ଆତ୍ମନିର୍ଭର ଚାଷୀଙ୍କୁ ଏକ ହଜାର ଟଙ୍କାର ସମେତ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ୩ ଜଣ ମତ୍ସ୍ୟଚାଷୀଙ୍କୁ ନୂତନ କାର୍ଯ୍ୟାଦେଶ ମଧ୍ୟ ପ୍ରଦାନ କରଯାଇଥିଲା। ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଏହାପରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉପସ୍ଥିତ ଲୋକେ ନିଜ ନିଜର ଅଭିଯୋଗ ତଥା:- ମତ୍ସ୍ୟ ଚାଷ ଏବଂ ଗୋପାଳନ ସମ୍ବନ୍ଧରେ ଉପସ୍ଥିତ ଅଧିକାରୀ ମାନଙ୍କ ଠାରୁ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ। ଅଞ୍ଚଳରେ ଥିବା ଗାଈ ଗୋରୁ, ଛେଳି ମେଣ୍ଢା ତଥା ଅନ୍ୟ ପଶୁ ପକ୍ଷୀ ମାନଙ୍କ ଚିକିତ୍ସା ନିମନ୍ତେ ବିଭାଗ ପକ୍ଷରୁ ମୋବାଇଲ ଆମ୍ବୁଲାନ୍ସ ଅଞ୍ଚଳରେ ବୁଲୁଥିବା ବେଳେ ଏହାର ଟୋଲ ଫ୍ରି ନଂ ୧୯୬୨ ରେ କଲ କରିବାକୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ଶ୍ରୀ ମାଝୀ କହିଥିଲେ। ଶେଷରେ କୋରୁକୋଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ ସୌମେନ୍ଦୁ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

