ବାଲିଗୁଡା,୨୮/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି । ମଙ୍ଗଳବାର ଦିନ ‘ମନ୍ଥା’ ସମୁଦ୍ରରୁ ଅଧୁକ ବଳ ଗୋଟାଇ ଭୀଷଣ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି, ଅପରାହ୍ନ ସୁଦ୍ଧା କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ସେପରି କିଛି ପ୍ରଭାବ ପଡିନି। ସମଗ୍ର ଟାଉନରେ ପ୍ରତ୍ୟୁଷ ରୁ ଅପରାହ୍ନ ସୁଦ୍ଧା କୋହଲା ପାଗ ସହ ଝିପି ଝିପି ବର୍ଷା ସାଙ୍ଗକୁ ସାମାନ୍ୟ ପବନ ବୋହୁଥିବା ବେଳେ ଆଭ୍ୟନ୍ତରଣ ଜଙ୍ଗଲ ଓ ନଦୀ କୂଳ ଗ୍ରାମାଞ୍ଚଳ ରେ ଅଧିକ ପବନ ସହ ବର୍ଷା ହେଉଛି। ପାଣିପାଗ ବିଭାଗ ର ସୂଚନା କୁ ଆଧାର କରି ସମଗ୍ର କନ୍ଧମାଳ ଜିଲ୍ଲାରେ ତିନିଦିନ ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନେ ଯିବା ପାଇଁ ବାରଣ କରାଯାଇଛି, କିନ୍ତୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ନିୟମିତ ଆସିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି। ଏହି ‘ ମନ୍ଥା’ ଆସୁଥିବା ଯୋଗୁଁ ଜନସାଧାରଣ ଓ ଯାନବାହାନ ରେ ଯାତାୟାତ ଯାତ୍ରୀ ମାନେ ସଚେତନ ହୋଇ ନିହାତି ଜରୁରୀ କାମ ନ ଥିଲେ ଦୂର ଦୁରାନ୍ତ କୁ କିମ୍ବା ବଜାରକୁ ନଯାଇ ନିଜ ଘରେ ରହିଥିବା ଦେଖିବାକୁ ମିଳିଛି।ଦୋକାନ ବଜାର ଗହଳ ଚହଳ ନ ଥିବାରୁ ଖାଁ ଖାଁ ଲାଗୁଛି । ଯାତ୍ରୀବାହୀ ବସ ଗୁଡିକ ରେ ଆବଶ୍ୟକ ସଂଖ୍ୟକ ଯାତ୍ରୀ ଆସୁ ନଥିବା ଦେଖିବାକୁ ମିଳିଛି। ଗରିବ ଦିନ ମଜୁରିଆ, ଖଟିଖିଆ ମାନଙ୍କର କାମ ବନ୍ଦ ରହିଥିବାରୁ ଉପାସରେ ଥିବା ଜଣାପଡିଛି।ନଦୀ ନାଳ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ବସବାସ କରୁଥିବା ଜନସାଧାରଣ ଙ୍କୁ ନଦୀ ନାଳ କୁ ଯିବା ପାଇଁ ବାରଣ କରାଯାଇଛି। ଏ ସବୁକୁ ନେଇ ଜିଲ୍ଲା, ଉପଖଣ୍ଡ ଓ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ସଜାଗ ରହିଥିବା ବିଷୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

