ମାଲକାନଗିରି,୨୮/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ କୁ ପୋଲିସ କୁ ମିଳିଛି ବଡ଼ ସଫଳତା। ଅଭିନବ ଉପାୟରେ କଣ୍ଟେନରରେ ସିକ୍ରେଟ ଚ୍ୟାମ୍ବର ମାଧ୍ୟମରେ ଗଞ୍ଜେଇ ଚୋରା ଚାଲାଣ ବେଳେ ୭୭୦ କିଲୋ ଗଂଜେଇ ଜବତ କରିଛି ଓରକେଲ ପୋଲିସ। ପୋଲିସର ପ୍ରେସ ନୋଟ ଅନୁଯାୟୀ ସୋମବାର ଅପରାହ୍ନ ସମୟରେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ତମସା ମୁଖ୍ୟ କେନାଲ ଦେଇ ସୋରଲୁକୋଣ୍ଡା ବ୍ୟାରେଜ ଆଡକୁ ଏକ ଗଂଜେଇ ଗାଡି ଆସୁଥିବା ବିଶେଷ ସୁତ୍ରୁରୁ ଖବର ପାଇଥିଲେ। ଏହାପରେ ତାଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଧୀରେନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏସଆଇ ମିଲନ ବରିହା ଏବଂ ଟିମ ସୋରଲୁକୋଣ୍ଡା ବ୍ୟାରେଜ ନିକଟରେ ଗାଡ଼ି ଯାଞ୍ଚ କରିବା ଆରମ୍ଭ କରିଥିଲେ। ଗାଡି ଯାଞ୍ଚ ସମୟରେ ଏକ ବଡ଼ ଟ୍ରକ କଣ୍ଟେନର ଟି କାମବେଡା ପଟୁ ଆସୁଥିବା ଦେଖି ଅଟକାଇଥିଲେ। କଣ୍ଟେନରରେ କଣ ସାମଗ୍ରୀ ଥିବା ପୋଲିସ ପଚାରିବାରୁ କିଛି ଜରି ବସ୍ତା ରହିଥିବା ଡ୍ରାଇଭର ଜଣଙ୍କ ଉତ୍ତର ଦେଇଥିଲେ। କଣ୍ଟେନର ଭିତରକୁ ଯାଇ ଯାଞ୍ଚ କରିବା ସମୟରେ ପୋଲିସକୁ ଗଞ୍ଜେଇର ଅଳ୍ପ ବାସ୍ନା ବାଜିଥିଲା। ସଙ୍ଗେ ସଙ୍ଗେ ଗାଡି ଟିକୁ ପୋଲିସ ତନ ତନ କରି ଯାଞ୍ଚ କରିବା ପରେ ଟ୍ରକ କଣ୍ଟେନର ଦୂରତା ଏବଂ ଡ୍ରାଇଭର ପଛକୁ ଥିବା ସିକ୍ରେଟ ଚ୍ୟାମ୍ବର ସମ୍ବନ୍ଧରେ ଜାଣିବାକୁ ପାଇଥିଲା। ଯାଞ୍ଚ ପରେ ୧୭ଟି ବସ୍ତାରେ ୭୭୦ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରାଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଓଜନ କରିବା ସହ ଚାଲାଣକାରୀ ମାନଙ୍କୁ ଗିରଫ କରି ଥାନାକୁ ନିଆଯାଇଥିଲା। ଗାଡ଼ିରେ ଡ୍ରାଇଭର ସମେତ ଜଣେ ହେଲପର ଏବଂ ଗାଡି ମାଲିକ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ଗିରଫ ୩ ଚାଲାଣକାରୀ ଉତ୍ତରପ୍ରଦେଶ ରାଜ୍ୟର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରାଜ ବାହାଦୂର(୫୫), ଘର ଚିତ୍ରକୁଟ ଜିଲ୍ଲାର ଗଣ୍ଡା ଗ୍ରାମ, ଜେମଶ ଚୌହାନ(୪୫), ଘର ବନ୍ଦା ଜିଲ୍ଲାର ସାହବ ତଲବ ଏବଂ ଅନ୍ୟ ଜଣେ ରିତିକ ଗୁପ୍ତା(୨୫), ବନ୍ଦା ଜିଲ୍ଲାର ପଲାରା ଗ୍ରାମ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି। ଏଥିସହ ଚାଲାଣକାରୀ ମାନେ ଏହି ଗଂଜେଇ କୁ କାମବେଡା ଅଞ୍ଚଳରୁ ନିଜ ଅଞ୍ଚଳ ଉତ୍ତରପ୍ରଦେଶକୁ ମୋଟା ଅଙ୍କର ଟଙ୍କା ଲୋଭରେ ଚାଲାଣ କରୁଥିବା ତଦନ୍ତକାରୀ ଅଧିକାରୀ ଅଜିତ ସିଂ ବରିହା କହିଛନ୍ତି। ତେବେ ଏହି ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହି ଚାଲାଣକାରୀ ମାନଙ୍କ ମୁଖ୍ୟ ମାଲିକ କିଏ ସେନେଇ ପୋଲିସ ଚାଲାଣକାରୀ ମାନଙ୍କ ଫୋନରୁ ତଥ୍ୟ ବାହାର କରି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଜି ୩ ଚାଲାଣକାରୀ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଚିତ୍ରକୋଣ୍ଡା ଏସଡିପିଓ ଶ୍ରୀ ପ୍ରଧାନ କହିଛନ୍ତି।

