ବାରିପଦା,୨୮/୧୦(ପାଇକପୁଅ)ଠାକୁରମୁଣ୍ଡା ବ୍ଲକ ନୂଆଗାଁ ସ୍ଥିତ ଆର.ଏନ. ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରମିଳା ସାହୁ ନିଜର ଦୀର୍ଘ ଦିନର ବୃତ୍ତିଗତ ଦାବୀ ନେଇ ବାରମ୍ବାର ପ୍ରଶାସନ ନିକଟରେ ନ୍ୟାୟ ପାଇଁ ନିବେଦନ କରିଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନଥିବାରୁ ପୂର୍ବ ଘୋଷଣା ମୁତାବକ ଆଜି ବାରିପଦା ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ବାରିପଦା କିରୋସିନି ନେଇ ପହଞ୍ଚିଥିଲେ।ତେବେ ଭଞ୍ଜସେନା ରାଜ୍ୟ ସଭାପତି କଳିଙ୍ଗ କେଶରୀ ଜେନା, ବାରିପଦା ଉପଜିଲ୍ଲାପାଳଙ୍କ ନିକଟକୁ ନେଇ ସମାଧାନ କରାଇବା ଦିଗରେ ପ୍ରୟାସ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ବାରିପଦା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ପ୍ରମୁଖଙ୍କ ଉପସ୍ଥିତିରେ ଶିକ୍ଷୟିତ୍ରୀ ପ୍ରମିଳା ସାହୁଙ୍କ ସହ ଆଲୋଚନା କରି ଦାବୀ ପୂରଣ ପାଇଁ ପ୍ରତିଶୃତି ମିଳିବାପରେ ସେ ଆତ୍ମହୁତିରୁ ଓହରି ଥିବା ଜଣାଯାଇଛି।
ସୂଚନା ମୁତାବକ ଆର.ଏନ. ଗାର୍ଲସ ହାଇସ୍କୁଲ ୧୯୯୨ ମସିହାରେ ସ୍ଥାପନ ହୋଇଥିବା ବେଳେ, ୧୯୯୫ ମଧ୍ୟରେ ସ୍କୁଲ ଅନୁମତି ଓ ସ୍ୱୀକୃତି ପାଇଥିଲା।ପ୍ରମିଳା ୧୯୯୭ ମସିହାରେ ସ୍କୁଲରେ ଯୋଗଦେଇ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ ଏବଂ ସ୍କୁଲ ୨୦୧୫ ରୁ ଅନୁଦାନ ପାଇଲା।ମାତ୍ର ଅଚାନକ ଜିଲ୍ଲା ଶିକ୍ଷା ଅଧିକାରୀ ତା ୨୨/୧୦/୨୦୨୧ରିଖ ଚିଠି ସଂଖ୍ୟା – ୧୧୩୪୧ରେ ପ୍ରମିଳାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଦାୟୀତ୍ୱରୁ ବାରଣ କଲେ ଏବଂ ସହକାରୀ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।ତାଙ୍କୁ ବିଦ୍ୟାଳୟରେ ପଶିବାକୁ ଦିଆଗଲା ନାହିଁ।ଦାୟିତ୍ୱ ହସ୍ତାନ୍ତର ନକରିବାରୁ ତା ୧୬/୧୧/୨୦୨୧ରିଖ ଚିଠି ସଂଖ୍ୟା ୧୧୯୮୨ ବଳରେ ପ୍ରମିଳାଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବନ ପରେ କୌଣସି ତଦନ୍ତ ହେଲାନାହିଁ କିମ୍ବା ପୁନଃ ଥଇଥାନ କରାଗଲା ନାହିଁ। ପ୍ରମିଳା ମାନ୍ୟବର ଉଚ୍ଚ ଅଦାଲତଙ୍କ ଆଶ୍ରୟ ନେବାରୁ କୋର୍ଟକୁ ଉତ୍ତର ଦେଇନପାରି ତରବରିଆ ଭାବେ ପ୍ରମିଳାଙ୍କୁ ପୁନଃନିଯୁକ୍ତି ଦିଆଯାଇଥିବା କୋର୍ଟକୁ ଜଣାଇ ପ୍ରମିଳାଙ୍କୁ ବରିଷ୍ଠ ଶିକ୍ଷକ ଭାବେ ଯୋଗଦାନ ପାଇଁ ବାଧ୍ୟକଲେ। ତେବେ ଯୋଗଦାନ ପରେ ନିଲମ୍ବନ ସମୟ ତା ୧୬/୧୧/୨୦୨୧ ରୁ ତା ୫/୧/୨୦୨୫ ପର୍ଯ୍ୟନ୍ତ ଟଙ୍କାଟିଏ ମଧ୍ୟ ତାଙ୍କୁ ଏଯାବତ ମିଳି ନାହିଁ।ଇତି ମଧ୍ୟରେ ଆଉ ଜଣେ ସହକାରୀ ଶିକ୍ଷୟିତ୍ରୀ ଅପର୍ଣ୍ଣା ଦେଙ୍କୁ ଡିଇଓ ତା ୦୮/୦୯/୨୦୨୫ ରିଖରେ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ଦେଇଛନ୍ତି। ଶିକ୍ଷୟିତ୍ରୀ ଦାୟିତ୍ୱ ନେବା ପରେ ଅପର୍ଣ୍ଣା ୧୮ ଅକ୍ଟୋବରରେ ପ୍ରମିଳାଙ୍କୁ ପୁଣି ନିଲମ୍ବନ କରିଛନ୍ତି. ଫଳରେ ସେ ସେପ୍ଟେମ୍ବର ମାସରେ କେବଳ ୧୭ ଦିନର ଦରମା ପାଇଛନ୍ତି।
ଡିଇଓଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିଲମ୍ବନ କ୍ଷମତା ନଥିବା କହୁଛନ୍ତି ମାତ୍ର ଅସାମ୍ବିଧାନିକ ପଦକ୍ଷେପ ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇ ନାହାନ୍ତି।
ପ୍ରମିଳା ଗତ ସେପ୍ଟେମ୍ବର ୧୦ ତାରିଖରେ ଡିଇଓ, ଜିଲ୍ଲାପାଳ, ଏସପି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ନପାରି ବାରୁ ଆଜି ଆତ୍ମହୁତି ଦେବେ ବୋଲି ପ୍ରଶାସନକୁ ଅବଗତ କରିବା ସହିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଆତ୍ମହୁତି ଘୋଷଣା ପରେ ତାଙ୍କୁ ଗତ ୨୪ ତାରିଖରେ କାର୍ଯ୍ୟରେ ଯୋଗ ଦେବାକୁ ଡିଇଓ ନିର୍ଦ୍ଦେଶ ଦେଇଥିବା ବେଳେ, କୋର୍ଟର ନିର୍ଦ୍ଦେଶ ମୁତାବକ ଅନ୍ୟ ଦାବୀ ପ୍ରତି ଅଣଦେଖା କରି ଆସୁଥିଲେ. ତେବେ ଆଜି ବୈଠକରେ କୋର୍ଟ ଅର୍ଡର ମୁତାବକ ପ୍ରମିଳାଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ପଦବୀ ଫେରେଇବା ପାଇଁ ମାନ୍ୟବର ଉଚ୍ଚ ଅଦାଲତ ୮ ସପ୍ତାହ ସମୟ ଦେଇଥିବାରୁ ତା ପୂର୍ବରୁ ସମାଧାନ ହେବା ସହିତ ଅନ୍ୟାନ୍ୟ ନ୍ୟାୟଚିତ ଦାବି ପୂରଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିଛି।ଡିଇଓ ମଧ୍ୟ ସମସ୍ତ ଦାବି ଯଥା ଶୀଘ୍ର ପୂରଣ କରିବେ ଏବଂ ଶାନ୍ତିପୂର୍ଣ୍ଣ ଭାବେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ତେବେ ଶିକ୍ଷୟିତ୍ରୀ ପ୍ରମିଳା, ମୁଁ ଅତିଷ୍ଠ ହୋଇ ଅନ୍ୟ କୌଣସି ପନ୍ଥା ନପାଇ ଆତ୍ମାହୁତି ଭଳି ଭୁଲ ବାଟ ବାଛିଥିଲି।ଗଣମାଧ୍ୟମର ସହଯୋଗ ପ୍ରଶାସନର ହସ୍ତକ୍ଷେପ, ଭଞ୍ଜସେନା ମୁଖ୍ୟ କଳିଙ୍ଗ କେଶରୀ ଜେନାଙ୍କ ଅଯାଚିତ ସହଯୋଗ ପାଇଁ ମୋତେ ନ୍ୟାୟ ମିଳିଲା ବୋଲି ଶିକ୍ଷୟିତ୍ରୀ ପ୍ରମିଳା ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି।

