ବାରିପଦା, ୨୪/୧୦(ପାଇକପୁଅ)ଅନ୍ତର୍ଜାତୀୟ ରଗବୀ ଖେଳାଳି ସନ୍ଧ୍ୟାରାଣୀ ଭାରତୀୟ ମହିଳା ଦଳରେ ସ୍ଥାନ ପାଇ ଚାଇନା ଓ ଶ୍ରୀଲଙ୍କା ଠାରେ ନିଜର ପ୍ରଥମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରି ଫେରିବା ପରେ, ଭଞ୍ଜସେନା ଦ୍ବାରା ବାରିପଦାର ପ୍ରବେଶ ପଥ ପାଲବଣୀ ବାଇପାସ ଠାରେ ସନ୍ଧ୍ୟାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଭଞ୍ଜସେନାର ନଗର ସଭାପତି ରାଜା ଖାନଙ୍କ ନେତୃତ୍ୱରେ ଏକ ବାଇକ ଶୋଭାଯାତ୍ରାରେ ସହିଦସ୍ମୃତି ଭବନ ପର୍ଯ୍ୟନ୍ତ ନିଆ ଯାଇଥିଲା।ସେଠାରେ ସନ୍ଧ୍ୟାଙ୍କୁ ନିଜ ଅନୁଷ୍ଠାନ ତଥା ପ୍ରଶିକ୍ଷଣ ଗ୍ରହଣ କରୁଥିବା ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ଓ ପ୍ରତିଷ୍ଠା ଦିବସରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଗୃହନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଅନ୍ତର୍ଜାତୀୟ ରଗବୀ ତାରକା ସନ୍ଧ୍ୟାରାଣୀ ଟୁଡୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା କ୍ରୀଡ଼ା ଅଧିକାରୀ ଭାଗିରଥୀ ମଲ୍ଲିକ, ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ପୂର୍ବତନ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ବେହେରା, ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ବିଜୟ କୁମାର ଦାସ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ଓ ଏକାଡେମୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଉପଦେଷ୍ଟା ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଏକାଡେମୀର ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଥାଉକି, ଏସିଆ ଏମିରେଟ ରଗବୀ ସେଭେନସ ସିରିଜରେ ଭାରତୀୟ ମହିଳା ରଗବୀ ଦଳ ଚାଇନାରେ ପାଞ୍ଚଟି ମ୍ୟାଚ ଖେଳିଥିବା ବେଳେ, ସନ୍ଧ୍ୟାରାଣୀ ଟୁଡୁ ଟପ ସ୍କୋରର ରହି ୨୪ ପଏଣ୍ଟ ସ୍କୋର କରିବା ସହିତ ଭାରତୀୟ ଦଳ ପାଇଁ ଫିଲିପାଇନ୍ସ ବିରୋଧରେ ପ୍ରଥମ ସ୍କୋର କରିଥିଲେ।ୟୁଏଇ ବିପକ୍ଷରେ ବିଜୟୀ ସ୍କୋର କରି ଦଳକୁ ଦଶମ ସ୍ଥାନରୁ ଷଷ୍ଠ ସ୍ଥାନକୁ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପୁନଶ୍ଚ ଶ୍ରୀଲଙ୍କା ଠାରେ ଅନୁଷ୍ଠିତ ଏସିଆ ଏମିରେଟ ରଗବୀ ସେଭେନସ ସିରିଜରେ ଭାରତୀୟ ମହିଳା ଦଳ ୫ଟି ମ୍ୟାଚ ଖେଳି ସନ୍ଧ୍ୟା ୫ ପଏଣ୍ଟ ଦଳ ପାଇଁ ଯୋଡ଼ି ପାରିଥିଲେ।

