ମାଲକାନଗିରି,୨୪/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ସଦରରେ ଥିବା ସଂସ୍କୃତି ଭବନରେ ଆଜି ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧାରଣ ଲୋକମାନଙ୍କ ମଧ୍ୟରେ ଇଣ୍ଟରନେଟ ବ୍ୟବହାର ସମୟରେ ସୁରକ୍ଷା ବିଷୟରେ ସଚେତନତା ବୃଦ୍ଧି କରିବା ଥିଲା। ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଏସପି ବିନୋଦ ପାଟିଲ ଏଚ, ଡିଏଫଓ କିରଣ ଡିଏନ, ଉପ ଜିଲ୍ଲାପାଳ ଅଶ୍ନି ଏଏଲ, ମାଲକାନଗିରି ଓ ଚିତ୍ରକୋଣ୍ଡା ଏସଡିପିଓ, ଅତିରିକ୍ତ ଏସପି ରାଜକିଶୋର ଦାସ ଏବଂ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା। ଏହାପରେ ଆୟୋଜିତ ବୈଠକରେ ଉପସ୍ଥିତ ଅଧିକାରୀ ମାନେ ମଞ୍ଚାସୀନ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ ଅଧିକାରୀ ମାନେ ଉଦବୋଧନ ରେ କହିଥିଲେ ଯେ, ସାଇବର ଅପରାଧ ଦିନକୁ ଦିନ ବଢ଼ୁଛି, ତେଣୁ ପ୍ରତ୍ୟେକ ନାଗରିକଙ୍କୁ ଇଣ୍ଟରନେଟ ଓ ମୋବାଇଲ ବ୍ୟବହାରରେ ସତର୍କ ରହିବା ଆବଶ୍ୟକ। ଏହି ଅବସରରେ ପୋଲିସ ବିଭାଗ, ଆଇଟି ବିଭାଗ ଓ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସାଇବର ଠକେଇ, ଅନଲାଇନ ଠକେଇ, ଓଟିପି ଠକେଇ ଏବଂ ସୁରକ୍ଷିତ ପାସୱାର୍ଡ ବ୍ୟବହାର ଭଳି ବିଷୟରେ ଆଲୋଚନା ହୋଇଥିଲା। ସେଥିପାଇଁ ସାଇବର ବିଶେଷଜ୍ଞମାନେ ବିଭିନ୍ନ ଦୃଶ୍ୟ ଉପସ୍ଥାପନ ମାଧ୍ୟମରେ ଲୋକମାନଙ୍କୁ ସଜାଗ କରିଥିଲେ। ଜିଲ୍ଲାରେ ଆସନ୍ତା ଦିନରେ ଏପରି ସଚେତନତା ଶିବିର ଅନ୍ୟାନ୍ୟ ବ୍ଲକ ମଧ୍ୟରେ ଆୟୋଜନ କରାଯିବ ବୋଲି ଜଣାପଡ଼ିଛି।

