ବାରିପଦା, ୨୩/୧୦(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାସ୍ଥିତ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ମୀନାରାଣୀ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଯୋଗଦେଇ ନାଟକର ଉପାଦାୟତା ଉପରେ ଆଲୋକପାତ କରିଥିଲେ।ଏହି ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ, ପ୍ରତିଯୋଗିତାର ବିଚାରକ ଭାବେ ନାଟ୍ୟକାର ଅନ୍ନଦା ଶଙ୍କର ଦାସ, ଅଭିନେତା ଜ୍ଞାନରଞ୍ଜନ ପଣ୍ଡା ଓ ପ୍ରକାଶଚନ୍ଦ୍ର ଦାସ ଯୋଗ ଦେଇଥିଲେ. ପ୍ରତିଯୋଗିତାରେ ଲେଡି ହେମିଲଟନ ସରକାରୀ ଉଚ୍ଚ ବିଦ୍ୟାଳୟ ବାରିପଦା, ମହାରାଜା କୃଷ୍ଣ ଚନ୍ଦ୍ର ବିଦ୍ୟାଳୟ,ବାରିପଦା,ଓଏଭି ଉଦଳା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇ ଅତିଥିମାନଙ୍କ ନିକଟରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଥିଲେ। ଶିକ୍ଷକ ନୟନ ଗିରି, ବସନ୍ତ ଦତ୍ତ, ମନୋଜ ପାତ୍ର, ମନୋଜ ପରିଡା, ସଂଜୀବ ଦଳେଇ, ଶିକ୍ଷୟିତ୍ରୀ ପ୍ରାର୍ଥନା ମିଶ୍ର ପ୍ରମୁଖ ଆୟୋଜକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ. ପ୍ରଥମ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟ ଚଳିତ ମାସ ଅକ୍ଟୋବର ୨୪ ତାରିଖରେ ମୟୂରଭଞ୍ଜ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାକୁ ନେଇ ବାରିପଦାରେ ହେବାକୁ ଥିବା ଜୋନସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବ ବୋଲି ଜଣାଯାଇଛି।

