ମାଲକାନଗିରି,୨୩/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହର ସ୍ଥିତ ଓରକେଲ ଥାନାରେ ଆଜି ନୂତନ ଶିଶୁମିତ୍ର ପୋଲିସ ଥାନା ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯୋଗ ଦେଇ ଫିତା କାଟି ଏହାର ଉଦ୍ଘାଟନ କରିଥିଲେ। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଏହି ଥାନାର ଉଦଘାଟନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ପିଲାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ଏହି ଥାନା କରିବାର ମୂଳ ଉଦ୍ଦେଶ୍ୟ ହେଲା ଯେଉଁ ମହିଳାମାନେ ନିଜ ନିଜର କୁନି କୁନି ଛୁଆ ମାନଙ୍କୁ ନେଇ ଥାନାକୁ ନିଜର ଅଭିଯୋଗ ନେଇ ଆସିବେ ସେମାନେ ଏହି ଥାନାରେ ନିଜର ଅଭିଯୋଗ ଜଣାଇବେ। ଏଥିସହ ସେମାନେ ଥାନାରେ ଅଭିଯୋଗ ଜଣାଇବା ସମୟରେ କୁନି କୁନି ପିଲାମାନଙ୍କ ନିମନ୍ତେ ଶିଶୁ ଉଦ୍ୟାନ ସହ ପଢାପଢି ନିମନ୍ତେ ବହି ଏବଂ ଖେଳନା ର ବ୍ୟବସ୍ଥା ରହିଛି ଯାହାଦ୍ୱାରା କୁନି କୁନି ଶିଶୁମାନେ ନିଜ ନିଜର ସମୟ ଅତି ଆନନ୍ଦ ର ସହ ଅତିବାହିତ କରିବେ। ଏଥିସହ ମା ମାନେ ନିଜ ଛୁଆଙ୍କୁ ସ୍ତନ୍ୟପାନ କରିବା ନିମନ୍ତେ ସ୍ୱତନ୍ତ୍ର ପ୍ରକୋଷ୍ଠ ମଧ୍ୟ ରହିଛି। ଏହି ନୂତନ ଥାନା ନିର୍ମାଣ ସମୟରେ ଓରକେଲ ଥାନାର ଯେଉଁ ଏଏସଆଇ ଏବଂ ହୋମଗାର୍ଡ ମାନଙ୍କ ଅବଦାନ ରହିଥିଲା ସେମାନଙ୍କୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଟିଲ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାପରେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ମାନଙ୍କ ସହ ଅଞ୍ଚଳର ସମସ୍ୟା ନେଇ ଆଲୋଚନା କରିଥିଲେ। କୁନି କୁନି ଶିଶୁମାନଙ୍କୁ ବିସ୍କୁଟ ଏବଂ ଚକଲେଟ ପ୍ରଦାନ କରାଯାଇଥିଲା। ଆଜିର ଏହି ଉଦ୍ଘାଟନ ସମୟରେ ଅତିରିକ୍ତ ଏସପି ରଶ୍ମିରଞ୍ଜନ ସେନାପତି, ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ, ଆରଆଇ ସତ୍ୟପ୍ରିୟ ବିଶ୍ୱାଳ, ଥାନାଧିକାରୀ ଧୀରେନ ପଟ୍ଟନାୟକ, ଏସଆଇ ହରପ୍ରିୟା ଶବର, ଏସଆଇ ମିଲନ ବାରିହା, ଏସଆଇ ଅଜିତ ସିଂ ବାରିହା, ଏସଆଇ ମନୋହର ସାହୁ, ଏଏସଆଇ ଅଜିତ ଟାକରିଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

