ମାଲକାନଗିରି,୨୨/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ସ୍ଥିତ ଟାଉନ ହଲ ଠାରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଯୋଗ ଦେଇ ଠାକୁର ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଯୋଗ ଦେଇ ଶିବିର ସମ୍ବନ୍ଧରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ। ଏଥିସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ଏବଂ ଜିଲ୍ଲା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ମଞ୍ଚାସୀନ ଥିଲେ। ଆଜିର ଏହ ଶିବିରରେ ସର୍ବମୋଟ ୯୫ ଜଣ ପଞ୍ଜିକୃତ କରାଇ ନିଜ ନିଜର ପରୀକ୍ଷା କରାଇଥିଲେ। ଦୃଷ୍ଟି ବାଧିତ ବିଭାଗରେ ୧୮, ଶ୍ରବଣ ବାଧିତ ବିଭାଗରେ ୧୮, ଅସ୍ଥିଶଲ୍ୟ ବିଭାଗରେ ୩୮, ମାନସିକ ବାଧିତ ବିଭାଗରେ ୭ ଏବଂ ଅନ୍ୟାନ୍ୟ ବିଭାଗରେ ୧୪ଜଣ ପରୀକ୍ଷା କରାଇଥିଲେ। ସମସ୍ତ ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ଲୋକମାନଙ୍କର ପରୀକ୍ଷା କରିଥିଲେ। ଡାକ୍ତର ଅଭିଦ ହୁସେନ, ଡାକ୍ତର ପ୍ରଫୁଲ୍ଲ ବେହେରା, ଡାକ୍ତର ଶିବାନନ୍ଦ ବୁଦ୍ଧ, ଡାକ୍ତର ନିରଞ୍ଜନ କର ଏବଂ ଡାକ୍ତର ନିରଞ୍ଜନ ବେହେରା ପ୍ରମୁଖ ଆଜିର ଶିବିରରେ ଉପସ୍ଥିତ ଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେଶ ଗୌଡ଼ ପରିଚାଳନା କରିଥିଲେ।

