ମାଲକାନଗିରି,୧୯/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାରେ ଭେକ୍ଟର ବାହିତ ରୋଗ ନିବାରଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଷ କୁମାର ଉପାଧ୍ୟାୟ ଅଧକ୍ଷତା କରିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମାଲେରିଆ, ଡେଙ୍ଗୁ, ଚିକୁନଗୁନିଆ ପରି ରୋଗର ଉତ୍ସକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଟି ବ୍ଲକ୍ ସ୍ତରରେ ବିଶେଷ ଶିବିର ଆୟୋଜିତ କରାଯାଇଥିବା ବିଷୟରେ ଆଲୋଚନା କରଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଆଦେଶକ୍ରମେ ମାଲକାନଗିରି ମୁନିସିପାଲିଟି ଅଞ୍ଚଳରେ ପ୍ରତିଦିନ ଫଗିଙ୍ଗ କାର୍ଯ୍ୟ ଆରମ୍ଭ କରାଯାଇଥିବା କୁହାଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ପାଇଁ ସଚେତନତା ସଭା ଆୟୋଜିତ କରି ଘରେ ଘରେ ଲୋକଙ୍କୁ ଭେକ୍ଟର ଜନିତ ରୋଗ ବିଷୟରେ ସଚେତନ କରାଯାଉଛି। ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଡୋଳାମଣି ପ୍ରଧାନ କହିଛନ୍ତି ଯେ, ବର୍ଷା ଋତୁ ଶେଷ ହେଉଛି, ଏହି ସମୟରେ ମସା ମାଛ ବଢ଼ିବା ସମ୍ଭାବନା ଅଧିକ ଥାଏ। ତେଣୁ ପ୍ରତିଟି ଗ୍ରାମରେ ସ୍ବଚ୍ଛତା ମୂଳକ କାର୍ଯ୍ୟକ୍ରମକୁ ଦ୍ରୁତ କରିବା ଆବଶ୍ୟକ ରହିଛି। ଗ୍ରାମ ଓ ସହର ଅଞ୍ଚଳରେ ଜମା ଜଳ ନରହିବା ଓ ଘର ନିକଟରେ କାଦୁଅ କିମ୍ବା ଦୂଷିତ ପାଣି ଜମା ହେବାକୁ ନଦେବା ପାଇଁ ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି। ସେହିପରି ଡି.ପି.ଏଚ୍.ଓ. ଡା. ଏମ୍.ଏମ୍. ଆବିଦ ହୁସେନ କହିଛନ୍ତି, ଘର ଆଗପଛ ଜମା ଜଳ ରହିଲେ ଏହା ମଶା ଓ ମାଛି ସହ ଅନ୍ୟ ଜୀବାଣୁଙ୍କ ପ୍ରଜନନ ସ୍ଥଳ ହୋଇପାରେ, ତେଣୁ ପ୍ରତି ସପ୍ତାହରେ ଗୋଟିଏ “ଡ୍ରାଇ ଡେ” ପାଳନ କରି ଜଳ ଜମା ନହେବା ନିଶ୍ଚିତ କରିଲେ ରୋଗ ପ୍ରସାରଣ ରୋକାଯାଇପାରିବ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ନିକଟରେ କିଛି ଅଞ୍ଚଳରେ ହାଲୁକା ମ୍ୟାଲେରିଆ ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଥିବାରୁ ଦ୍ରୁତ ପଦକ୍ଷେପ ଗ୍ରହଣ କରାଯାଇଛି। ଲୋକମାନଙ୍କୁ ମାଗଣା ମ୍ୟାଲେରିଆ ପରୀକ୍ଷା ଓ ଔଷଧ ସୁବିଧା ଯୋଗାଇ ଦିଆଯାଉଛି। ଅଧିକାରୀମାନେ କହିଛନ୍ତି, ଜନସାଧାରଣଙ୍କ ସହଯୋଗ ବିନା ଭେକ୍ଟର ଜନିତ ରୋଗକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। ତେଣୁ ନିଜର ଘର ଏବଂ ବାହାର ପରିବେଶ ଯଦି ସ୍ୱଚ୍ଛତା ରଖାଯାଏ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟବାନ୍ ମାଲକାନଗିରି ଗଢ଼ାଯାଇପାରିବ ବୋଲି ପ୍ରକାଶ କରିଛନ୍ତି।

