Baripada ବାରିପଦା, ୧୮/୧୦(ପାଇକପୁଅ) ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ ଶୁଭାରମ୍ଭ ହୋଇଥିବା ବେଳେ,
ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ଆନୁକୂଲ୍ୟରେ ସାଇବର ସୁରକ୍ଷା ସଚେତନତା ନେଇ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଖବନ୍ଧୁ ନାଏକ, ଇଶ୍ୱର ଚନ୍ଦ୍ର ନାଏକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଏମଏସସିବି ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରର ସୁମତି ସିଂ ଓ ପଞ୍ଚମ ବାଟାଲିୟନ କାମାଣ୍ଡାଣ୍ଟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ସମାଜର ସବୁ ବର୍ଗର ଲୋକଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ. ସମସ୍ତେ ସଚେତନ ହୋଇ ସତର୍କତାର ସହିତ ଅନଲାଇନ ସମନ୍ଧୀୟ କାର୍ଯ୍ୟ କଲେ ଏହି ସାଇବର ଅପରାଧକୁ ରୋକଯାଇ ପାରିବ।ଏହି ସଚେତନତା ଅଭିଯାନ ଉଭୟ ଅନଲାଇନ ଓ ଅଫଲାଇନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସାଇବର ସୁରକ୍ଷା ପ୍ରଚାର ପତ୍ର, ଭିଡ଼ିଓ ପ୍ରଦର୍ଶନ, ରେଡ଼ିଓ ଜିଙ୍ଗଲ,ସୁରକ୍ଷା ମେସେଜ, ଡିବେଟ ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ, ନୁକ୍କଡ଼ ନାଟକ, ସଚେତନତା ରଥ ପରିକ୍ରମା, ପଦଯାତ୍ରା, ସାଇକେଲ ଯାତ୍ରା,ସ୍ପଟ କୁଇଜ଼, ସାଇବର ଅପରାଧ ଉପରେ ସମ୍ମିଳନୀ, ଅନଲାଇନ କୁଇଜ଼, ରିଲ ମ୍ୟାକିଙ୍ଗ ପ୍ରତିଯୋଗିତା ଇତ୍ୟାଦି ଆୟୋଜନ କରାଯିବ।ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଛାତ୍ର ଛାତ୍ରୀ, ସ୍ବେଛାସେବୀ ଓ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

