ବାରିପଦା,୧୫/୧୦(ପାଇକପୁଅ)ଜିଲ୍ଲା ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଓ ନାରାୟଣ ହୃଦୟାଳୟ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜିଲ୍ଲା ସହଳ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରରେ ଏକ ଶିଶୁ ହୃଦ ରୋଗ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର କିଶୋର କୁମାର ଆଚାର୍ଯ୍ୟ ଉଦଘାଟନ କରି ଏଭଳି ଶିବିରର ଆବଶ୍ୟକତା ସଂପର୍କରେ କହିଥିଲେ।ଶିବିରରେ ନାରାୟଣ ହୃଦୟାଳୟ ଜାମସେଦପୁରରୁ ଆସିଥିବା ଶିଶୁ ହୃଦରୋଗ ବିଶେଷଜ୍ଞ ଡ଼ାକ୍ତର ଅନ୍ୟସା ମୁଖାର୍ଜୀ ଓ ଡ଼ାକ୍ତର ଧର୍ମା ରାଓ ଯୋଗ ଦେଇ ମୋଟ ୧୬୪ ଜଣ ଶିଶୁଙ୍କ ହୃଦରୋଗ ପରୀକ୍ଷା କରିଥିବା ବେଳେ ୫୮ ଜଣ ଶିଶୁଙ୍କ ଅସ୍ତ୍ରୋପଚାର ପରବର୍ତ୍ତୀ ପରୀକ୍ଷା କରାଯାଇଥିଲା। ଆର.ବି.ଏସ.କେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଦଳ ମାଧ୍ୟମରେ ନୂତନ କରି ଚିହ୍ନଟ କରାଯାଇଥିବା ୧୦୬ ଜଣ ଶିଶୁଙ୍କ ହୃଦରୋଗ ପରୀକ୍ଷା ପରୀକ୍ଷା କରାଯାଇଥିବା ବେଳେ ୭୧ ଜଣଙ୍କ ଠାରେ ହୃଦରୋଗ ଜନୀତ ସମସ୍ୟା ଚିହ୍ନଟ କରାଯାଇ ସେମାନଙ୍କୁ ପ୍ରର୍ଯ୍ୟାୟକ୍ରମେ ଆର.ବି.ଏସ.କେ ମାଧ୍ୟମରେ ନାରାୟଣ ହୃଦୟାଳୟକୁ ପଠାଯାଇ ବିନା ମୂଲ୍ୟରେ ଅସ୍ତ୍ରପ୍ରଚାର କରାଯିବ ବୋଲି ଡ଼କ୍ଟର ଆଚାର୍ଯ୍ୟ କହିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ସୁନନ୍ଦା ମିଶ୍ର, ବିଜୟ କୁମାର ଦାସ, ଆର.ବି.ଏସ.କେ. ୟୁନିଟର ପ୍ରଶାନ୍ତ କୁମାର ଦାଶ, ଚନ୍ଦନ କୁମାର ପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଦିପ କୁମାର ମହାପାତ୍ର, ଡ଼ାକ୍ତର ଭବାନୀ ଶଙ୍କର ମହାନ୍ତି, ଡି.ପି.ଏମ. ଅନିଲ କୁମାର ମହାନ୍ତି, ଆର.ବି.ଏସ.କେ ମ୍ୟାନେଜର ବିଜନ କୁମାର ସାହୁ, ହସ୍ପିଟାଲ ମ୍ୟାନେଜର ଶ୍ରୀରାମ ମହାନ୍ତି ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

