କୋଣାର୍କ ୧୬/୧୦(ପାଇକପୁଅ) ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅଧୀନ ରାମଚଣ୍ଡୀ ମୁହାଣରେ ଅବସ୍ତିସ୍ତ ଲୋଟସ ରିସର୍ଟ ପରିସରରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି ।ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ଓ ସାମ୍ବାଦିକ ଯୋଗଦେଇ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି ସହ ସେଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଓଡ଼ିଶା ଏବଂ ଝାଡ଼ଖଣ୍ଡ ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ତଥା ଅତିରିକ୍ତ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଖିଳ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଗଣମାଧ୍ୟମକୁ ବିକାଶ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ରୂପେ ଅଭିହିତ କରିଛନ୍ତି। ଲୋକସମ୍ପର୍କ ସ୍ଥାପନ କରିବା ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ସବୁବେଳେ ଭଲ ଯୋଗାଯୋଗକାରୀଙ୍କର ଆବଶ୍ୟକତା ରହିଛି । ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଦ୍ୱିପାକ୍ଷିକ ଯୋଗାଯୋଗ ଏବଂ ପାରସ୍ପରିକ ମତବିନିମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏଡିଜି ଶ୍ରୀମିଶ୍ର କହିଛନ୍ତି।
ଭୁବନେଶ୍ୱର ସିଜିଏସଟି ଯୁଗ୍ମ ଆୟୁକ୍ତ ଡି କଲ୍ୟାଣ ଚକ୍ରବର୍ତ୍ତୀ କାର୍ଯ୍ୟକ୍ରମରେ ‘‘ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର ଏବଂ ଏହାର ଲାଭ’’ ସମ୍ପର୍କରେ ମତ ରଖିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ତାଙ୍କ ବକ୍ତବ୍ୟରେ ମାତୃଭାଷାର ଗୁରୁତ୍ୱ ଏବଂ ଆଞ୍ଚଳିକ ଭାଷାରେ ସମ୍ବାଦପତ୍ରର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ସହାୟକ ନିର୍ଦ୍ଦେଶକ ତଥା ବାର୍ତ୍ତାଳାପର ନୋଡାଲ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବର୍ତ୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ। ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କର୍ମଶାଳାର ଉଦଘାଟନୀ ପର୍ଯ୍ୟାୟକୁ ପରିଚାଳନା କରିଥିଲେ। ସିବିସି ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରି ଅଧିକାରୀଙ୍କ ସହିତ ବିଭିନ୍ନ ଯୋଜନା ଓ ଗଣମାଧ୍ୟମ ସହ ଜଡ଼ିତ ପ୍ରସଙ୍ଗରେ ମତ ବିନିମୟ କରିଥିଲେ।

