ବାରିପଦା,୧୬/୧୦(ପାଇକପୁଅ)ଦୀର୍ଘ ବର୍ଷ ପରେ ବାରିପଦାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଏବଂ ଓଡିଶା ନାଟ୍ୟ ସଂଘ ମିଳିତ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ସହଯୋଗରେ ଯୁବ କଳାକାରଙ୍କୁ ନେଇ ଏକ ନାଟ୍ୟ କର୍ମଶାଳା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।ପ୍ରଶିକ୍ଷଣ ପରେ ଯୁବ କଳାକାର ମାନଙ୍କ ଦ୍ୱାରା ୧୫ ତାରିଖ ଦିନ ସନ୍ଧ୍ୟାରେ କର୍ମଶାଳା ଭିତ୍ତିକ ନାଟକ ଇତି ଯେବେ ହସେ ସ୍ଥାନୀୟ ସହୀଦ ସ୍ମୃତି ଭବନରେ ପରିବେଷିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ମୁଖ୍ୟବକ୍ତା ଭାବେ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା,ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୁବ କଳାକାର ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ନାଟ୍ୟସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ, ନାଟ୍ୟଶାଳାର ସଂଯୋଜକ ଧୀର ବଶା ଓ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତି ଉପସ୍ଥିତ ଥିଲେ. ଏହି ଅବସରରେ ନାଟ୍ୟଶାଳର ନିର୍ଦ୍ଦେଶକ ନବୀନ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବ୍ରିଟିଶ ଶାସନ ସମୟରେ ସାଧବ ପୁଅ ମାନଙ୍କର ଉତ୍କଳୀୟ ବାଣିଜ୍ୟ ସଂସ୍କୃତି ତଥା ବୋଇତ ବନ୍ଦାଣ ଭଳି ସମୃଦ୍ଧ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା କିଭଳି ପ୍ରଭାବିତ ହୋଇଥିଲା, ଏହି ବିଷୟବସ୍ତୁ ଉପରେ ନାଟକ ଟି ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଂଯୋଜନାରେ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡାଙ୍କ ରଚିତ ଓ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକଟି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା।

