ମାଲକାନଗିରି,୦୧/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାର ପ୍ରବେଶ ପଥ କୁହାଯାଉଥିବା ଗୋବିନ୍ଦପାଲି ଠାରେ ପହଁଚିଲେ ପିସିସି ସଭାପତି ଭକ୍ତ ଚରଣ ଦାସ, ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଏବଂ ଯୁବ କଂଗ୍ରେସ ନେତା ଇସାକ୍ ଖୋସଲା ଙ୍କ ସମେତ ଦଳୀୟ କର୍ମକର୍ତ୍ତା। ତେବେ ଗୁରୁବାର ଅର୍ଥାତ ଆସନ୍ତା କାଲି ଠାରୁ ଜିଲ୍ଲା ର ମୋଟୁ ଠାରୁ କଂଗ୍ରେସ ପଦଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ଆଜି ପହଞ୍ଚିଛନ୍ତି ପିସିସି ସଭାପତି ଶ୍ରୀ ଦାସ। ଏବଂ ତାଙ୍କ ସହ ପହଞ୍ଚିଛନ୍ତି ରାଜ୍ୟ ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି। ତେବେ ଓଡିଶାର ମହିଳା ମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ସହ ବିଭିନ୍ନ ନାରା ନେଇ ଏହି ପଦଯାତ୍ରା କଂଗ୍ରେସ ଆରମ୍ଭ କରିଥିବା ଜଣାପଡ଼ିଛି। ଆଜି ଜିଲ୍ଲା ର ଗୋବିନ୍ଦପାଲି ମାଟିରେ ପିସିସି ସଭାପତି ପହଂଚିବା ପରେ ବାଜା ବାଣ ରୋଷଣୀ ମାଧ୍ୟମରେ ଆଦିବାସୀ ଢେମ୍ସା ର ତାଳେ ତାଳେ କଂଗ୍ରେସ କର୍ମୀମାନେ ନିଜ ନେତାଙ୍କୁ ପାଛୋଟି ନେଇଥିଲେ। ଏହାପରେ ଗୋବିନ୍ଦପାଲି ଠାରେ ଥିବା ତୁଳସୀ କ୍ଷେତ୍ର କୁହାଯାଉଥିବା ଜଗନ୍ନାଥ ମନ୍ଦିରରେ ପିସିସି ସଭାପତି ପହଁଚି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ। ତେବେ ଆଜି ରାତ୍ର ମାଲକାନଗିରି ସ୍ଥିତ ବନ ବିଭାଗର ଡାକ ବଙ୍ଗଳା ରେ ବିଶ୍ରାମ ନେଇ ଗୁରୁବାର ସକାଳ ୯ ଟା ରୁ ମୋଟୁ ସ୍ଥିତ ମୁଗି ପଏଣ୍ଟ ଠାରୁ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସାଧାରଣ ସଭାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଦାସ ନିଜର ପଦଯାତ୍ରା ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ଗୁରୁବାର ରାତ୍ର ସମୟରେ ପୋଟେରୁ ସ୍ଥିତ ହରିଚାନ୍ଦ ଆଶ୍ରମ ରେ ସେ ବିଶ୍ରାମ ନେବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ତେବେ ମାଲକାନଗିରି ଠାରୁ ପିସିସି ସଭାପତି ଶ୍ରୀ ଦାସ ଙ୍କ ଏହି ପଦଯାତ୍ରା ଅଗାମୀ ଦିନରେ ଜିଲ୍ଲା କଂଗ୍ରେସ ର ସଂଗଠନ କୁ ମଜବୁତ କରିବାରେ ସାହାର୍ଯ୍ୟ କରିବ ବୋଲି ଦଳୀୟ ନେତା ଆଶା ବାନ୍ଧିଛନ୍ତି।


