ମାଲକାନଗିରି,୦୧/୧୦ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଗୋପବନ୍ଧୁ ଛକ ଠାରେ ବୁଧବାର ସକାଳ ସମୟରେ ଏକ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନାନୁଯାୟୀ ବାଲିମେଳା ସହରକୁ ଏକ ମାରୁତି ସୁଜୁଜି ଇକୋ କାର ଦ୍ରୁତ ଗତିରେ ଆସୁଥିବା ଦେଖି ଗୋପବନ୍ଧୁ ଛକ ନିକଟରେ ଛିଡା ହୋଇଥିବା କିଛି ଯୁବକ ଦଉଡି ଛତ୍ରଭଙ୍ଗ ଦେଇଥିଲେ। ତେବେ ୩ ଟି ବାଇକ ରାସ୍ତା କଡରେ ରହିଥିବା ବେଳେ ଗୋଟିଏ ବାଇକ ଉପରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ବସି ରହିଥିବା ବେଳେ କାର ଚାଳକ ଜଣଙ୍କ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ନେଇ ପିଟିଥିଲା। ପାଖରେ ଥିବା ଆଉ ୨ ବ୍ୟକ୍ତି ଘୁଞ୍ଚି ପଛକୁ ପଳାଇଥିବା ବେଳେ ଉକ୍ତ ବ୍ୟକ୍ତି ଜଣଙ୍କ ଦୁର୍ଘଟଣା ର ଶିକାର ହୋଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର କରି ବାଲିମେଳା ସ୍ଵାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ। ଏଥିସହ ନିଶାସକ୍ତ ଅବସ୍ଥାରେ ଥିବା ଚାଳକ ଙ୍କୁ ଧରି ପୋଲିସକୁ ଡକାଇ ତାଙ୍କ ଜିମା ରେ ଦେଇଥିଲେ। ପୋଲିସ ଘଟଣା ସ୍ଥଳରୁ ଉକ୍ତ ମଦ୍ୟପ ଡ୍ରାଇଭର ଙ୍କୁ ଥାନା କୁ ନେଇଥିଲା। ମଦ୍ୟପ ଡ୍ରାଇଭର ଟିକୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯିବ ବୋଲି ସୂଚନା ଦେଇଛି। ମଦ୍ୟପ ଡ୍ରାଇଭରଟି ବାଲିମେଳା ସହରରେ ରହୁଥିବା ଜଣେ ଯନ୍ତ୍ରୀ ଙ୍କ ପୁଅ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।


