ବାରିପଦା, ୨୯/୦୯(ପାଇକପୁଅ)ଦୀର୍ଘ ବର୍ଷର ଦାବୀ ଏବଂ ପ୍ରତିଶୃତି ସତ୍ୱେ ରାଜ୍ୟ ବା କେନ୍ଦ୍ର ସରକାର ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ କୌଣସି ଠୋସ ପଦକ୍ଷେପ ନେଇ ନାହାନ୍ତି। ଏଣୁ ଆଜି ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ହାସଲ ନିମନ୍ତେ ବାରିପଦା ସ୍ଥିତ ଅବସରପ୍ରାପ୍ତ କର୍ମଚାରୀ ଭବନରେ ୧୭ ଗୋଟି ମୁଣ୍ଡାରୀ ସଂଗଠନର ପ୍ରତିନିଧି ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।ଭାରତ ମୁଣ୍ଡା ସମାଜ, ମୁଣ୍ଡାରୀ ସମାଜ ସାଓଁଓ୍ବାର ଜାମଡା, ମୁଣ୍ଡା ଯୁବ ସଂଗଠନ, ଓଡ଼ିଶା ମୁଣ୍ଡାରୀ ଛାତ୍ର ସଂଗଠନ, ଓଡ଼ିଶା ପାହାନ ଗୁଟୁଗାମ, ବିର୍ସା ମୁଣ୍ଡା ମେମୋରିଆଲ କ୍ଲବ, ମୁଣ୍ଡା ସମାଜ ବରିଷ୍ଠ ନାଗରିକ ମଞ୍ଚ, ମୁଣ୍ଡାରୀ ବାନି ଶିକ୍ଷକ ସଂଘ, ମୁଣ୍ଡାରୀ ବହୁଭାଷୀ ଶିକ୍ଷକ ସଂଘ, ମୁଣ୍ଡାରୀ ୟୁଟ୍ୟୁବରର୍ସ ପ୍ରଡ୍ୟୁସର୍ସ ଆର୍ଟିଷ୍ଟ ଆସୋସିଏସନ , ଲେପେଲ ନାପାମ ସଂଗଠନ, ଏଲା ମୁଣ୍ଡାରୀ ଶିମିଳିପାଳ, ସେନ ଗେ ସୁସୁନ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ପ୍ରଭୃତି ସଂଗଠନର ପ୍ରତିନିଧି ମାନେ ବୈଠକରେ ଉପସ୍ଥିତ ରହି ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ବୀକୃତି ହାସଲ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରିବା, ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଭାବରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା, ଭୁବନେଶ୍ୱର ଏବଂ ଦିଲ୍ଲୀର ଯନ୍ତରମନ୍ତର ଠାରେ ବିଶାଳ ଗଣ ଆନ୍ଦୋଳନ ପ୍ରଦର୍ଶନ କରିବା, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରତ୍ୟେକ ଗ୍ରାମର ଗ୍ରାମସଭାରୁ ଦସ୍ତଖତ କରି ପ୍ରେରଣ କରିବା ପ୍ରଭୃତି କାର୍ଯ୍ୟକ୍ରମ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ବୈଠକରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ଆବାହକ ବିରବଲ ସିଂ ସଭାପତିତ୍ବ କରିଥିବା ବେଳେ, ସାଧାରଣ ସମ୍ପାଦକ ଇଂ ସୁନାରାମ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।


