ବାରିପଦା, ୨୫/୦୯(ପାଇକପୁଅ)ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ପ୍ରତିରୋଧ, ନିଷିଦ୍ଧ ଓ ନିରାକରଣ ଆଇନ-୨୦୧୩ ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ବାରିପଦା ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ଜିଲ୍ଲା ଏଲସିସିର ଅଧ୍ୟକ୍ଷା ସୁମିତ୍ରା ମୁର୍ମୁ, ଏଲସିସିର ସଦସ୍ୟା ଏଡ଼ଭୋକେଟ କାବେରୀ ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ଷେତ୍ରରେ ଯୌନ ଉତ୍ପୀଡ଼ନ କ’ଣ ଓ ଏହାର ପ୍ରକାରଭେଦ, ଯୌନ ଉତ୍ପୀଡ଼ନ ଘଟୁଥିବା କାର୍ଯ୍ୟକ୍ଷେତ୍ରର ପରିସର, ଏହି ଆଇନ ଅନୁସାରେ କିଏ ଅଭିଯୋଗ କରିପାରିବେ, କାହା ନିକଟରେ ଅଭିଯୋଗ କରିପାରିବେ, ଆଇନରେ କାହାକୁ ସୁରକ୍ଷା ଦିଆଯାଏ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ସ୍ଥାନୀୟ ଅଭିଯୋଗ କମିଟି ର ଗଠନ ପ୍ରଣାଳୀ ଓ ଏଗୁଡିକର କାର୍ଯ୍ୟପରିସର, ଦାୟିତ୍ୱ ତଥା ଅଭିଯୋଗ ବାବଦରେ ତଦନ୍ତ ପ୍ରକ୍ରିୟା, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ, କମିଟିର କାର୍ଯ୍ୟାନୁଷ୍ଠାନରେ ନିର୍ଯ୍ୟାତିତ ସନ୍ତୋଷ ନହେଲେ ପରବର୍ତ୍ତୀ ପଦକ୍ଷେପ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଏହି ଆଇନର ଉପଯୁକ୍ତ କାର୍ଯ୍ୟକାରିତା ପାଇଁ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ଅଛି ବୋଲି କହିଥିଲେ। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କାର୍ଯ୍ୟକ୍ରମ ତଥା ସୁରକ୍ଷା ଅଧିକାରିଣୀ ସସ୍ମିତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ, ପ୍ରଶ୍ନ ଉତ୍ତର ମାଧ୍ୟମରେ ପ୍ରଶିକ୍ଷାର୍ଥୀ ମାନଙ୍କ ସନ୍ଦେହ ମୋଚନ କରିଥିଲେ. ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇସିଡିଏସ ସେଲର ପ୍ରୋଗ୍ରାମ ଅଫିସର ସୁକାନ୍ତି ସେଠୀ, ମିନତୀ ସାହୁ, ସାଲମଣି ସୋରେନ, ଜୟଶ୍ରୀ ହୋତା, ବିଭିନ୍ନ ବ୍ଲକର ସିଡିପିଓ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ସୀମାନ୍ତ ଦିଗାର ଓ ଏହାର କର୍ମଚାରୀ ବୃନ୍ଦ, ବିଭିନ୍ନ ବିଭାଗର ଆଇସିସି ସଦସ୍ୟ ଓ ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ।ଶେଷରେ ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

