ମାଲକାନଗିରି,୨୫/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପୋଲିସକୁ ମିଳିଛି ଏକ ବଡ ସଫଳତା। ଦୁଇ ଜଣ ବ୍ୟକ୍ତି ଏକ ଟାଟା ଗାଡି ଟ୍ରକ ନଂ (ଓଡି-୦୮ହେଚ-୬୯୩୬) ଯୋଗେ ବେଆଇନ ଭାବେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାବୁଡ଼ରେ ଧରା ପଡିଛନ୍ତି। ଏହି ଘଟଣାରେ ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ମୋଟୁ ଥାନା ଅଧିନସ୍ତ ଏମପିଭି -୪୭ ଗ୍ରାମର ମହାଦେବ ସରକାର -(୨୬)ଏବଂ ଅନ୍ୟ ଜଣେ ରାଜସ୍ଥାନ ରାଜ୍ୟର ଯୋଦପୁର ଅଞ୍ଚଳର ଭାଗିରଥ ମେଘବାଲ -(୩୪)ବୋଲି ଜଣା ପଡିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବୁଧବାର ଅପରାହ୍ନ ପ୍ରାୟ ୨ ଟା ସମୟରେ କୋରୁକୋଣ୍ଡା ଥାନା ଅଧିକାରୀ ହିମାଂଶୁ ଶେଖର ବାରିକଙ୍କ ନେତୃତ୍ୱରେ ପୋଲିସର ଏକ ଟିମ ବାଲିମେଳା – ମାଲକାନଗିରି ମୁଖ୍ୟ ରାସ୍ତା ତଥା ତାର୍ଲାକୋଟା ଘାଟି ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ବାଲିମେଳା ପଟୁ ଏକ ଟ୍ରକ ମାଲକାନଗିରି ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଦେଖି ସନ୍ଦେହ ହେବାରୁ ପୋଲିସ ଉକ୍ତ ଟ୍ରକ ଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଉକ୍ତ ଗାଡ଼ିରେ ୨୫ ଟି ଜରି ବସ୍ତାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ପୋଲିସ ଘଟଣା ସ୍ଥଳରୁ ଉକ୍ତ ଟ୍ରକ ସମେତ ଟ୍ରକରେ ଥିବା ମୋଟ ୬୧୫ କିଲୋ ଗଞ୍ଜେଇକୁ ଜବତ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଥାନାକୁ ଆଣିଥିଲେ। ଥାନାରେ ପଚରାଉଚରା କରିବା ସମୟରେ ଏହି ଗଞ୍ଜେଇକୁ ଯୋଦପୁର ଅଞ୍ଚଳକୁ ଚାଲାଣ କରାଯାଉଥିବା ଗିରଫ ହୋଇଥିବା ବ୍ୟକ୍ତି ମାନେ ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି। ପୋଲିସ ପକ୍ଷରୁ ଏନେଇ ଥାନାରେ କେସ ନଂ-୧୫୨/୨୦୨୫ ଦଫା ୨୦ (ବି )(୨)(ସି )/୨୫/୨୭-ଏ /୨୯ ଏନଡିପିଏସ ରେ ଏକ ମାମଲା ରୁଜୁ କରିବା ସହିତ ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାର ଅଧକ ତଦନ୍ତ ଏସଆଇ ପ୍ରଶାନ୍ତ କୁମାର ସାବତ ଜାରି ରଖିଥିବା ଥାନାଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

