ବାରିପଦା, ୧୩/୦୯(ପାଇକପୁଅ)ଚଳିତ ମାସ ୨୦ ଓ ୨୧ ତାରିଖ ଚାଇନାର ହାଙ୍ଗଜଉ ଠାରେ ଅନୁଷ୍ଠିତ ହେବାକୁ ଥିବା ଲେଗ-୧ ଏସିଆ ରଗବୀ ଇମିରେଟ ସେଭେନ ସିରିଜ-୨୦୨୫ ପ୍ରତିଯୋଗିତାରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜ ଜିଲ୍ଲା ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ସନ୍ଧ୍ୟାରାଣୀ ଟୁଡୁ।ବାରିପଦା ବ୍ଲକ ଅନ୍ତର୍ଗତ ରାଧିକାଶୋଳ ଗ୍ରାମର ଲକ୍ଷ୍ମୀଧର ଟୁଡୁ ଓ ଫୁଲମଣୀ ଟୁଡୁଙ୍କ ଦ୍ଵିତୀୟ ଝିଅ ସନ୍ଧ୍ୟା ରାଣୀଭୋଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବେଳେ କୋଚ ରୁପାଲୀ ସୋରେନଙ୍କ ତତ୍ୱାବଧାନରେ ୨୦୧୭ ମସିହାରେ ରଗବୀ ଖେଳ ଆରମ୍ଭ କରିଥିଲେ। ଅତି ଗରିବ ପରିବାରରୁ ଆସିଥିଲେହେଁ କୋଠର ପରିଶ୍ରମ ଓ ଦୃଢ଼ ଇଛାଶକ୍ତି ବଳରେ ସେ ଆଜି ବରିଷ୍ଠ ଭାରତୀୟ ରଗବୀ ଦଳରେ ସ୍ଥାନ ପାଇଥିବା ପ୍ରଥମ ମୟୁରଭଞ୍ଜ ଖେଳାଳୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ପ୍ରକାଶ ଥାଉକି ସନ୍ଧ୍ୟାରାଣୀ ବହୁବାର ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିବା ସହ ୨୦୨୩ ଓ ୨୦୨୫ ମସିହାରେ ଅନୁଷ୍ଠିତ ଜାତୀୟ କ୍ରୀଡ଼ାରେ ଓଡିଶା ପାଇଁ ସ୍ବର୍ଣ୍ଣ ପଦକ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ. ସେହିପରି ଫ୍ରାନ୍ସ ଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବିଶ୍ଵବିଦ୍ୟାଳୟ ସ୍ତରୀୟ ରଗବୀ ପ୍ରତିଯୋଗିତା-୨୦୨୪ରେ ଭାରତୀୟ ବିଶ୍ଵବିଦ୍ୟାଳୟ ଦଳରେ ସ୍ଥାନ ପାଇ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ. ଖବର ପାଇ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା ଶାରୀରିକ ଶିକ୍ଷା କ୍ରୀଡ଼ା ଅଧିକାରୀ ଭାଗିରଥୀ ମଲ୍ଲିକ, ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଡିଭାଇନର ନିର୍ଦ୍ଦେଶକ ବିଳ୍ପବ ଭଞ୍ଜନ ବୁଗୁଡେଇ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠୀ, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, କୋଚ ରୁପାଲୀ ସୋରେନ, ବାରିପଦା ଶାଖା ପରିଚାଳକ ରଣଜିତ ରାଉତ, ପ୍ରଶିକ୍ଷକ ଚନ୍ଦନ ସିଂ, ରାଜକିଶୋର ପାତ୍ର, ତରଣୀସେନ ନାୟକ, ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସଙ୍କ ସମେତ ବହୁ କ୍ରୀଡ଼ାବିତ ଅଭିନନ୍ଦନ ଜଣାଇବା ସହ ସଫଳତା କାମନା କରିଛନ୍ତି।

