ମାଲକାନଗିରି,୧୩/୦୯ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଶିକ୍ଷା ଅନ୍ତର୍ଗତ ତାରଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରୁକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅରୁଣ ରାୟ, ବାଲିମେଳା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଶିଳା ହିଆଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଣିଶଙ୍କର ମଜୁମଦାର, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ମଞ୍ଜରୀ କୁଲୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମନାଥ ବାରସେ ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଠାକୁରଙ୍କ ନିକଟରେ ଦ୍ବୀପ ପ୍ରଜ୍ୱଳନ ପରେ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାରର ଖେଳ ଯଥା: ଦୌଡ ପ୍ରତିଯୋଗିତା, ଖୋଖୋ, କବାଡି, ସଟଫୁଟ, ଡିସ୍କସ, ଲଙ୍ଗ ଜମ୍ପ, ହାଇ ଜମ୍ପ ଏଭଳି ବିଭିନ୍ନ ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା। ତେବେ ପୂର୍ବରୁ ବ୍ଲକର ୪ ଟି ଜୋନରେ ଏହି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ୧୬୦ ଲେଖାଏଁ ପିଲା ୪ଟି ଜୋନ ରୁ ମନୋନୀତ ହୋଇ ଆଜିର ଏହି ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାରେ ମୋଟ ୪୮୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀ କହିଛନ୍ତି। ଏହି ବ୍ଲକ ସ୍ତରରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତାରେ ଭାଗ ନେବେ ବୋଲି ସୂଚନା ମିଳିଛି।

