କୋଣାର୍କ ୨୭/୦୮(ପାଇକପୁଅ) ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଓ ସୂଚନା ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ତିରିଶି ଜଣିଆ ପ୍ରତିନିଧି ଦଳ ବୁଧବାର ପୂର୍ବାହ୍ନରେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉନ୍ନୟନ ଓ ଲୋକ ସମ୍ପର୍କ ଅଧିକାରୀ ଇନ୍ଦିକା ସନ୍ଦରୁୱାନ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ନିର୍ଦେଶକ ୱେରାସେକରାଗେ ଚଥୁରାଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳକୁ ରାଜ୍ୟସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ଵାଗତ କରାଯିବା ପରେ ଏହି ପ୍ରତିନିଧି ଦଳ ମନ୍ଦିର ପରିଦର୍ଶନ ଶହ ଆଇ ଓ ସି ଏଲ୍ ର ବାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ଓ ଟି ଡି ସି ର ଦୁଇ ଜଣ ଗାଇଡ ମନ୍ଦିରର ଐତିହାସିକ ପୃଷ୍ଟଭୂମୀ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଏହି ପ୍ରତିନିଧି ଦଳକୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ପ୍ରତିନିଧି ଦଳ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ଅତିଥେୟତା କୁ ବେଶ୍ ପ୍ରଶଂସା କରିବା ସହ ସୂର୍ଯ୍ୟମନ୍ଦିର ର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଥିଲେ । ଓଡ଼ିଶା ଓ ଶ୍ରୀଲଙ୍କାର ଐତିହାସିକ ଓ ସଂସ୍କୃତି ସମ୍ପର୍କକୁ ମନେ ପକାଇବା ସହ ଏହି ଗସ୍ତ ଦ୍ଵାରା ଶ୍ରୀଲଙ୍କା ଓ ଓଡ଼ିଶାର ପର୍ଯ୍ୟଟନ ସମ୍ପର୍କ ବୃଦ୍ଧି ପାଇବ ବୋଲି ଶ୍ରୀଲଙ୍କା ବୈଦେଶିକ ବିଭାଗ ନିର୍ଦେଶକ ଚଥୁରା ୱେରାସେକରା କହିଥିଲେ । ଶେଷରେ ଏହି ପ୍ରତିନିଧି ଦଳ ବାଖ୍ୟାନ କେନ୍ଦ୍ରରେ ସୂର୍ଯ୍ୟ ମନ୍ଦିରର ଇତିହାସ ସମ୍ବଳିତ କ୍ଷୁଦ୍ର ଚଳଚ୍ଚିତ୍ର ଦେଖି ବିମୋହିତ ହୋଇଥିଲେ । ଏହି ଗସ୍ଥ ଅବସରରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ସେଠୀ , ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସମେତ ଉତ୍କଳ ସାମ୍ବାଦିକ ସଂଘ୍ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସଞ୍ଜୟ ପତି,କୋଣାର୍କ ପ୍ରେସ କ୍ଳବ୍ ସଭାପତି ଧନଞ୍ଜୟ ବେହେରା , ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ସାଧାରଣ ସମ୍ପାଦକ ଆଦିତ୍ୟ ରାଉତ , ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ବିଚିତ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

