ବାରିପଦା,୨୩/୦୮/(ପାଇକପୁଅ)ପାରା ସ୍ପୋର୍ଟସ ଏସୋସିଏସନ, ଓଡିଶା ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ମୟୁରଭଞ୍ଜ ଜିଲ୍ଲାର ଦୁଇ ତାରକା ରଞ୍ଜନ ହାଁସଦା ଓ ରଜ ମାର୍ଣ୍ଡି ସ୍ବର୍ଣ୍ଣ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ରଞ୍ଜନ ୧୦୦ ମିଟର, ୨୦୦ ମିଟର ଦୌଡ଼ ସହ ଲମ୍ବଡିଆଁରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣପଦକ ହାସଲ କରିଥିବା ବେଳେ ରଜ ମାର୍ଣ୍ଡି ସଟପୁଟ ଓ ଡ଼ିସକସ ଥ୍ରୋ ରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି।ଉଭୟ ଖେଳାଳି ଜାତୀୟ ସ୍ତରୀୟ ପାରା ଆଥଲେଟକ ମିଟ ରେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି।ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ପରବର୍ତ୍ତୀ ଖେଳ ପାଇଁ ଶୁଭକାମନା ଜଣାଇଛନ୍ତି। ପ୍ରକାଶ ଥାଉକି ବାରିପଦାର ରଞ୍ଜନ ଓ ଉଦଳାର ରଜ ଉଭୟେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପ୍ରତିଭା ବଳରେ ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି।

