ବାରିପଦା,୨୩/୦୮(ପାଇକପୁଅ)ଭାରତୀୟ ଶକ୍ତିଉତ୍ତୋଳନ ସଙ୍ଘ ଆନୁକୂଲ୍ୟରେ ଝାରଖଣ୍ଡର ଜାମସେଦପୁର ଠାରେ ଅନୁଷ୍ଠିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ମୟୂରଭଞ୍ଜ ଦଳର ୩ ଜଣ ଖେଳାଳୀ ୪ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।ଚଳିତ ମାସ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସତ୍ୟବାନ ଜେନା ୯୩ କି.ଗ୍ରା. ବର୍ଗରେ ସ୍ବର୍ଣ୍ଣ, ବିକ୍ରମ ବେହେରା ୮୩ କି ଗ୍ରା. ବର୍ଗରେ ସ୍ବର୍ଣ୍ଣ ଓ ବେଞ୍ଚପ୍ରେସ ରେ ବ୍ରୋଞ୍ଜ, ଶୁଭଙ୍କରି ସୁଦେଷ୍ଣା ମହିଳା ବର୍ଗ ୬୩ କିଗ୍ରା. ବେଞ୍ଚ ପ୍ରେସ ବିଭାଗରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପପୁ ବିଶ୍ୱାଳ ଓ ମୋନାଲିଶା ପତ୍ର ଯଥା କ୍ରମେ ୪ର୍ଥ ଓ ୫ମ ସ୍ଥାନ ଅଧିକାର କରିଥିଲେ. ବ୍ରୋଞ୍ଜ ପଦକ ହାସଲ କରିଥିବା ଶୁଭଙ୍କରୀ ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ। ବ୍ୟସ୍ତ ବହୁଳ କର୍ମମୟ ଜୀବନ ଭିତରୁ ସମୟ ବାହାର କରି ନିଜର ଦୃଢ ଇଛାଶକ୍ତି ବଳରେ ଜଣେ ସଫଳ କ୍ରୀଡ଼ାବିତ ଭାବେ ବେଶ ସୁନାମ ଅର୍ଜନ କରିପାରିଛନ୍ତି। ଖବର ପାଇ ଜିଲ୍ଲାପାଳ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ ଓ ସମସ୍ତ ସହକାରୀବୃନ୍ଦ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ପୂର୍ବରୁ ମଧ୍ୟ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି।

