ମାଲକାନଗିରି,୨୦/୦୮ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିରେ ଆସନ୍ତା ଅଗଷ୍ଟ ୩୧ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆଜି ପ୍ରସ୍ତୁତି ବୈଠକ କାର୍ଯ୍ୟାଳୟର କନ୍ଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସରେ ଏନଏସିର ଉତ୍ତମ କର୍ମଚାରୀ, ସ୍ୱଚ୍ଛ ସାଥି, ସ୍ୱଚ୍ଛ କର୍ମୀ, ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏଥି ସମେତ ସ୍ୱାୟତ୍ତ ଶାସନ ଦିବସ ର ସନ୍ଧ୍ୟାରେ ଅଞ୍ଚଳବାସୀ ଙ୍କ ମନୋରଞ୍ଜନ ନିମନ୍ତେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଖାଦ୍ୟପେୟ ର ବନ୍ଦୋବସ୍ତ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସହରକୁ କିପରି ସ୍ୱଚ୍ଛ ଏବଂ ନିର୍ମଳ ରଖାଯିବ ସେନେଇ ଆଲୋଚନା ହୋଇଥିଲା। ଜନସାଧାରଣ ଙ୍କୁ ଅଳିଆ ଗାଡ଼ିରେ ନିଜ ଘରର ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ସବୁ ଢାଳିବା ନିମନ୍ତେ ସ୍ୱଚ୍ଛ ସାଥି ମାନେ ସଚେତନ କରିବାର ଆବଶ୍ୟକତା ରହିଥିବା ଅଧ୍ୟକ୍ଷ ଶ୍ରୀ ନାୟକ କହିଥିଲେ। ଆଇସି ଆକ୍ଟିଭିଟି ଅନୁଯାୟୀ ସହରର କାନ୍ଥ ଏବଂ ସର୍ବସାଧାରଣ ସ୍ଥାନ ଗୁଡିକରେ ବିଭିନ୍ନ ସଚେତନତା ଚିତ୍ର ଏବଂ ପଥପ୍ରାନ୍ତ ନାଟକ କରାଯିବା ନେଇ ଆଲୋଚନା ହୋଇଥିଲା। ଆହାର କେନ୍ଦ୍ର ଟେଣ୍ଡର ର ଶେଷ ଦିନ ଆଜି ଥିବା ବେଳେ ଏହି ତାରିଖ ପରିବର୍ତ୍ତନ କରାଯାଇ ଅଗାମୀ ୨୫ ତାରିଖକୁ ବର୍ଦ୍ଧିତ କରାଯାଇଥିଲା। ଏଥିସହ ଯେଉଁ ନିର୍ଦ୍ଦିଷ୍ଟ ନାରୀ ଜାଗୃତି ନାମକ ଏସଏଚଜି ଆଜିକୁ ଦୀର୍ଘ ୯ ବର୍ଷ ହେବ ନିଜ ମନ ମୁତାବକ ନିମ୍ନ ମାନର ଖାଦ୍ୟ ଦେଇ ଆହାର କେନ୍ଦ୍ର ଚଳାଉଛି ଉକ୍ତ ଏସଏଚଜି ଗ୍ରୁପ କୁ କିପରି ପୁନଃ ଆହାର କେନ୍ଦ୍ର ଟେଣ୍ଡର ଦିଆନଯାଏ ସେନେଇ ସମସ୍ତ କାଉନସିଲର ଆଜିର ଏହି ବୈଠକରେ ବିରୋଧ କରିଥିଲେ। ଏଥିସହ ସରକାରଙ୍କ ପକ୍ଷରୁ ରୋଷେଇ ରେ ଦିଆଯାଇଥିବା ଅନୁଭୂତି ଥିବା ଏସଏଚଜି ପାଇବା ଯୋଗ୍ୟ ନିୟମ କୁ ବଦଳାଇବାକୁ ସମସ୍ତ କାଉନ୍ସିଲର କହିଥିଲେ। ଆଜିର ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା, ଉପାଧ୍ୟକ୍ଷା ରଶ୍ମିତା ବାଙ୍କାଙ୍କ ସମେତ ସମସ୍ତ କାଉନ୍ସିଲର ଏବଂ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।

