ବାରିପଦା, ୧୦/୧୦(ପାଇକପୁଅ) ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ ବାଘଡା–ମୋରଡା ମୁଖ୍ୟ ରାସ୍ତାରେ ଏକ ଦନ୍ତାହାତୀର ଉପସ୍ଥିତିକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦନ୍ତାହାତୀଟି ମୁଖ୍ୟ ରାସ୍ତା ଉପରେ ପ୍ରାୟ ଏକ କିଲୋମିଟର ଚାଲିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ହାତୀଟିକୁ ଦେଖିବା ପାଇଁ ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ କେତେକ ଲୋକ ହାତୀ ପଛେ ପଛେ ଯାଇ ମୋବାଇଲ୍ରେ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖାଯାଇଥିଲା। ଏପରିକି ଦନ୍ତାହାତୀଟି ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ସମୟରେ କେତେକ ଲୋକ ହାତୀ ଉପରକୁ ପାଣି ଛାଟୁଥିବା ଦୃଶ୍ୟ ମଧ୍ୟ ନଜରକୁ ଆସିଥିଲା। ଅନ୍ୟପକ୍ଷରେ, ଜଙ୍ଗଲୀ ହାତୀ ନିକଟକୁ ନଯିବା, ତାକୁ ଉତ୍ତେଜିତ ନକରିବା ଏବଂ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଥିଲା. ହାତୀ ନିକଟରେ ଭିଡ଼ ଜମାଇ ଫଟୋ ଓ ଭିଡିଓ ଉଠାଇବା ବିପଦପୂର୍ଣ୍ଣ ହୋଇଥିବାରୁ ଏଥିରୁ ନିବୃତ୍ତ ରହିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

