ବାଲିଗୁଡ଼ା,୦୩/୧୦(ସଞ୍ଜୟ କୁମାର ପାଣିଗ୍ରାହୀ) କାର୍ଯ୍ୟାଳୟର ଫାଇଲ୍ ଭିତରେ ସୀମିତ ନରହି ଲୋକଙ୍କ ନିକଟକୁ ପହଞ୍ଚି ଅଞ୍ଚଳର ସମସ୍ୟା ଅନୁଧ୍ୟାନ କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରଣୀତା ଦାସ। ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁକୁ ଅଚାନକ ଗସ୍ତ କରି ସେ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ଶୁଣିଥିଲେ। ଗସ୍ତ ସମୟରେ ଉପଜିଲ୍ଲାପାଳ ବ୍ରାହ୍ମଣୀଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ରାଜସ୍ବ ସମ୍ପର୍କିତ କାର୍ଯ୍ୟକଳାପ ଓ ଅଞ୍ଚଳର ସାମଗ୍ରିକ ସ୍ଥିତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସ୍ଥାନୀୟ ନେତୃବୃନ୍ଦ ଓ ଅଞ୍ଚଳବାସୀ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ବ୍ରାହ୍ମଣୀଗାଁରେ ଜିଓ ନେଟୱାର୍କ ପାଇଁ ଟାୱାର ସ୍ଥାପନ, ଅତିରିକ୍ତ ତହସିଲଦାର ନିଯୁକ୍ତି, ଋଷିମାଳ ମହାବିଦ୍ୟାଳୟର ପାନୀୟ ଜଳ ସମସ୍ୟାର ସମାଧାନ, ବସ୍ଷ୍ଟପ୍ ଓ ସୁଲଭ ଶୌଚାଳୟ ନିର୍ମାଣ ଆଦି ଦାବି ରହିଥିଲା। ସେହିପରି ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମରାମତି, ଲାବୋରେଟୋରି ଟେକ୍ନିସିଆନ ନିଯୁକ୍ତି, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ବିଶ୍ରାମ କକ୍ଷ, ରେଭେନ୍ୟୁ ବଙ୍ଗଳାର ପୁନରୁଦ୍ଧାର ଏବଂ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ପୁନରୁଦ୍ଧାର ଭଳି ଦାବି ମଧ୍ୟ ଉଠାଯାଇଥିଲା। ଦାବିଗୁଡ଼ିକ ଉପରେ ଆଲୋଚନା କରି ଉପଜିଲ୍ଲାପାଳ ଶ୍ରୀମତୀ ଦାସ ଋଷିମାଳ ମହାବିଦ୍ୟାଳୟରେ ତୁରନ୍ତ ନଳକୂପ ଖନନ ଏବଂ ବ୍ରାହ୍ମଣୀଗାଁରେ ଜିଓ ଟାୱାର ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଅନ୍ୟ ଦାବିଗୁଡ଼ିକୁ ମଧ୍ୟ ଗୁରୁତ୍ବର ସହ ବିଚାର କରାଯାଇ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି ସେ ଆଶ୍ବାସନ ଦେଇଥିଲେ। ଜାତୀୟ ମାନବାଧିକାର କର୍ମୀ ବିକ୍ରମ ବସୁରାଇଙ୍କ ନେତୃତ୍ୱରେ ସ୍ଥାନୀୟ ନେତୃବୃନ୍ଦ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଞ୍ଚଳର ମୌଳିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଉପଜିଲ୍ଲାପାଳଙ୍କ ଆଶ୍ବାସନା ପରେ ସମସ୍ୟା ଗୁଡ଼ିକର ସମାଧାନ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଗସ୍ତ ସମୟରେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।

