ଯୋଡ଼ା, ୦୮/୦୯(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନ୍ଏସି ଗେଟ୍ ନିକଟରେ ହୋଟେଲ ଯାଇକା ନିକଟରେ ମଙ୍ଗଳବାର ସକାଳ ସାତଟା ସମୟରେ ହୃଦୟବିଦାରକ ସଡ଼କ ଦୁର୍ଘଟଣାରେ ଜଣେ ଅଜଣା ମହିଳାଙ୍କ ମୃତ୍ୟୁ ଘଟିଛି। ଏକ ଟ୍ରକ ପଛ ଚକା ତଳେ ଚାପି ଯାଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଯୋଡ଼ା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଯୋଡ଼ା ଟାଟା ହସ୍ପିଟାଲ ରେ ଶବ ବ୍ୟବଚ୍ଛେଦ ଗୃହରେ ସଂରକ୍ଷିତ ରଖାଯାଇ ଥିଲା। ଦୁର୍ଘଟଣାରେ ସମ୍ପୃକ୍ତ ଓଡି-୦୯କେ-୨୩୫୧ ନମ୍ବର ବିଶିଷ୍ଟ ଟ୍ରକକୁ ପୁଲିସ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ଏବଂ ତାଙ୍କର ପରିଚୟ ମିଳିପାରିନାହିଁ। ତେବେ ମୃତକଙ୍କ ପରିଚୟ ଚିହ୍ନଟ କରିବା ସହ ତାଙ୍କ ପରିବାରବର୍ଗଙ୍କ ସନ୍ଧାନ ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜଣାପଡିଛି । ଘଟଣାର ପ୍ରକୃତ କାରଣ ଓ ଦୁର୍ଘଟଣାର ପରିସ୍ଥିତି ନେଇ ପୁଲିସ ତଦନ୍ତ ଜାରି ରଖିଛି।

