ମାଲକାନଗିରି, ୨୯/୦୮ (ପାଇକପୁଅ)ମାଲକାନଗିରି ଜିଲ୍ଲାରେ ଅବକାରୀ ବିଭାଗର ସ୍ପେସିଆଲ ଡ୍ରାଇଭ୍ ଜୋରଦାର ହୋଇଛି। ଏହି କ୍ରମରେ ଆଜି ସକାଳେ ପାପରମେଟଲା ଥାନା ଅଧୀନ ଧୂଳିପୁଟ ଗ୍ରାମପଞ୍ଚାୟତର ସାରୁବନ୍ଧ ନିକଟସ୍ଥ ଜଙ୍ଗଲରେ ପୃଥକ ପୃଥକ ଚଢ଼ାଉ କରି ଅବକାରୀ ବିଭାଗ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସକାଳ ୬ଟାରୁ ୯ଟା ମଧ୍ୟରେ ମାଲକାନଗିରି ସଦର ଓ ବାଲିମେଳା ଅବକାରୀ ଟିମ୍ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ବାଲିମେଳା ଟିମ୍ ୩୦୦ କେଜି ଏବଂ ମାଲକାନଗିରି ସଦର ଟିମ୍ ୧୦୦ କେଜି ଗଞ୍ଜେଇ ଜବତ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ କରିବା ଉଦ୍ଦେଶ୍ୟରେ ଗଞ୍ଜେଇଗୁଡ଼ିକୁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିଲା। ଚଢ଼ାଉ ସମୟରେ ଘଟଣାସ୍ଥଳରେ କେହି ଉପସ୍ଥିତ ନଥିବାରୁ ଅବକାରୀ ବିଭାଗ ପକ୍ଷରୁ ଅଜଣା ବ୍ୟକ୍ତିଙ୍କ ନାମରେ ଏନ୍ଡିପିଏସ୍ ମାମଲା ରୁଜୁ କରାଯାଇଛି। ଗଞ୍ଜେଇ ଚାଲାଣ ପଛରେ ଥିବା ମୁଖ୍ୟ ଚାଲାଣକାରୀ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଶୀଘ୍ର ଗିରଫ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ାଉରେ ମାଲକାନଗିରି ସଦର ଅବକାରୀ ନିରୀକ୍ଷକ ସନ୍ତୋଷ ବଳ, ଉପନିରୀକ୍ଷକ ତେଜରାଜ ଗହୀର, ବାଲିମେଳା ଅବକାରୀ ଅଧିକାରୀ ବ୍ରଜବିହାରୀ ନାୟକଙ୍କ ସମେତ ସରିତା ନାୟକ, ଅମିୟ ଖଜା, ମନୋଜ ପ୍ରଧାନ, ଦିନବନ୍ଧୁ ସିରା, ଏଏସ୍ଆଇ ରାମଚନ୍ଦ୍ର ହାନ୍ତାଳ, ସରୋଜ କୁମାର ସାହୁ, ସୁରେନ୍ଦ୍ର ମାଝୀ, ରମଜାନ ଖାନ୍ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ।

