ଯୋଡ଼ା,୨୭/୦୮(ପାଇକପୁଅ) କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଳ ସାଇଡିଂ ଅଞ୍ଚଳରେ ଅବୈଧ ଲୁହାପଥର ଚାଲାଣ କରୁଥିବା ବେଳେ ବାମେବାରୀ ପୋଲିସ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ତେବେ ଅଭିଯୁକ୍ତ ମାନେ ହେଲେ ଆନ୍ଧ୍ରପ୍ରଦେଶର
ଚନ୍ଦ୍ର ସୁରେଶ (୩୮),ସୁନ୍ଦରଗଡ଼ ଅଞ୍ଚଳର ବିଭୁଦେନ୍ଦ୍ର ମହାପାତ୍ର(୩୭) ଏବଂ କେନ୍ଦୁଝର ବାରିଆ ଅଞ୍ଚଳର ରାହୁଲ କୁମାର ସେଠୀ (୨୪)। ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ ନୟାଗଡ ସ୍ଥିତ ରେଳ ସାଇଡ଼ିଂ ଅଞ୍ଚଳରେ ବେଆଇନ ଲୁହାପଥର ଚାଲାଣ କରୁଥିବା ଖବର ପାଇ ପୋଲିସ ହଠାତ୍ ଚଢ଼ାଉ କରିଥିଲା। ଏହି ଚଢ଼ାଉ ରେ ୩ ଜଣ ଅଭିଯୁକ୍ତ ଙ୍କ ଧରିବା ସହ( ଏପି-୩୯ଡବ୍ଲୁ. ଆର-୩୧୨୮) ନମ୍ବର ବିଶିଷ୍ଟ ଏକ ଟ୍ରକ ରେ ୪୨ ଟନ ବୋଝେଇ ଲୁହାପଥର ଏବଂ ନମ୍ବର ପ୍ଲେଟ ନ ଥିବା ଜେସିବି ମେସିନ, ଓଡ଼ି-୧୪ଏ.ଜେ-୨୨୭୫ ନମ୍ବର ର ସ୍କୋର୍ପିଓ, ୩ ଟି ମୋବାଇଲ ଫୋନ, ଗୋଟିଏ ୱାକି ଟୋକି ଏବଂ ନଗଦ ୩ ଲକ୍ଷ ଜବତ କରିଛନ୍ତି।ତେବେ ଜବତ ହୋଇଥିବା ଲୁହାପଥର ର ବଜାର ରେ ଆନୁମାନିକ ମୁଲ୍ୟ ୧.୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। କେସ ନମ୍ବର ୨୦୦/୨୬ ରୁଜ୍ଜୁ କରି ବିଏନ ଏବଂ ଏମ୍.ଏମ୍.ଡି.ଆର ଆଇନ ର ବିଭିନ୍ନ ଧାରା ଅନୁଯାୟୀ ଗିରଫ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି।ତେବେ ଏହି ଆଇରନ ଚୋରା କାରବାରରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ତାହା ପୋଲିସ ଅନୁସନ୍ଧାନ ଜାରୀ ରଖିଛି।

