ବାରିପଦା, ୨୫/୦୮(ପାଇକପୁଅ) ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ.ରାଣୀଭୋଳ ଅଞ୍ଚଳର ଲକ୍ଷ୍ମୀମଣି ହେମ୍ବ୍ରମ ତାଙ୍କ ସ୍ୱାମୀ ସ୍ୱର୍ଗତ ହରିଶ ଚନ୍ଦ୍ର ହେମ୍ବ୍ରମଙ୍କ ସନ୍ଦେହଜନକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣାର ନିରପେକ୍ଷ, ବ୍ୟାପକ ଓ ବୈଜ୍ଞାନିକ ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗଠନ ପାଇଁ ଦାବି କରିଛନ୍ତି। ଏନେଇ ସେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଏକ ଲିଖିତ ଆବେଦନ କରିଛନ୍ତି। ଆବେଦନ ଅନୁଯାୟୀ, ୪୫ ବର୍ଷୀୟ ହରିଶ ଚନ୍ଦ୍ର ହେମ୍ବ୍ରମ ଅଗଷ୍ଟ ୧୯ ତାରିଖ ରାତି ପ୍ରାୟ ୧୧ଟା ୪୫ରେ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ତାଙ୍କ ହ୍ୟୁଣ୍ଡାଇ ଆଇ ୨୦ ନଂ. ଓଡି ୧୧ଏସ୮୩୧୦ ଯୋଗେ ବାହାରିଥିଲେ। ତାଙ୍କ ସହିତ ବନ୍ଧୁ ସତ୍ୟଜିତ ବେହେରା ଥିଲେ।ଅଗଷ୍ଟ ୨୦ ତାରିଖ ରାତି ପ୍ରାୟ ୧ଟା ୧୦ରେ ସୋରୋ ଥାନା ଅନ୍ତର୍ଗତ ଆଲିପୁର ନିକଟରେ ଗାଡ଼ିଟି ରାସ୍ତାକଡ଼ରେ ରହିଥିବା ବେଳେ ହରିଶ ଚନ୍ଦ୍ର ଗାଡ଼ିରୁ ବାହାରକୁ ଆସିଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଥିଲା।ଗୁରୁତର ଆହତ ହରିଶଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସହଯାତ୍ରୀ ସତ୍ୟଜିତ ବେହେରା ମଧ୍ୟ ସାମାନ୍ୟ ଆହତ ହୋଇ ବାଲେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହୋଇ ପରେ ଡିସ୍ଚାର୍ଜ ହୋଇଥିଲେ।
ତେବେ ଘଟଣାର ପରିସ୍ଥିତିକୁ ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି।ଦୁର୍ଘଟଣାରେ ସମ୍ପୃକ୍ତ ଅଜଣା ଗାଡ଼ିକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବାରୁ ଘଟଣାର ପ୍ରକୃତ କାରଣ ଜାଣିବା ଆବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି। ହରିଶ ଚନ୍ଦ୍ର ରିଅଲ ଇଷ୍ଟେଟ ବ୍ୟବସାୟରେ ଜଡ଼ିତ ଥିବାରୁ ତାଙ୍କ ବ୍ୟବସାୟୀକ ଓ ଆର୍ଥିକ କାରବାର, ସମ୍ପତ୍ତି ବିବାଦ ଏବଂ ନିକଟ ଅତୀତରେ କାହା ସହିତ ବିବାଦ ଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି।
ଆବେଦନରେ ଅଜଣା ଗାଡ଼ିକୁ ଚିହ୍ନଟ ପାଇଁ ଆଲିପୁର, ସୋରୋ ଓ ଆଖପାଖ ଅଞ୍ଚଳର ସିସି ଟିଭି ଫୁଟେଜ, ଟୋଲପ୍ଲାଜା ଓ ଟ୍ରାଫିକ ରେକର୍ଡ ଯାଞ୍ଚ, ଦୁର୍ଘଟଣାସ୍ଥଳର ଫୋରେନସିକ ପରୀକ୍ଷା, ଗାଡ଼ିର କ୍ଷତିର ଧାରା ଓ ଭଙ୍ଗା ଅଂଶର ବିଶ୍ଳେଷଣ, ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ, ସହଯାତ୍ରୀ ସତ୍ୟଜିତ ବେହେରାଙ୍କୁ ପଚରାଉଚରା ଏବଂ ମୃତକଙ୍କ ମୋବାଇଲ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ତଥ୍ୟ ବାଲେଶ୍ୱର ଓ ମୟୂରଭଞ୍ଜ ପୁଲିସ ମଧ୍ୟରେ ସମନ୍ୱୟ ରଖି ତଦନ୍ତ କରିବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି. ଘଟଣାଟି ସାଧାରଣ ସଡ଼କ ଦୁର୍ଘଟଣା ନା କୌଣସି ଯୋଜନାବଦ୍ଧ ଧକ୍କା, ପିଛା କରିବା, ଅବରୋଧ କିମ୍ବା ଅନ୍ୟ କୌଣସି ଅପରାଧିକ ଷଡ଼ଯନ୍ତ୍ର ରହିଛି, ତାହା ତଦନ୍ତ ମାଧ୍ୟମରେ ସ୍ପଷ୍ଟ କରିବାକୁ ଦାବି ହୋଇଛି. ଦାବିପତ୍ର ପ୍ରଦାନ ବେଳେ ଭଞ୍ଜ ଦିଶୋମ ମାଝୀ ମୋହଲ ମେନେଜିଙ୍ଗ କମିଟୀ ର ଉପଦେଷ୍ଟା ଆଡ଼ଭୋକେଟ ପ୍ରଭୁଦାନ ମାରାଣ୍ଡି, ବିଜୁ ଛାତ୍ର ଜନତା ଦଳର ସଭାପତି ଆଭାସ ଦେ ଦୁର୍ୟୋଧନ ମୁର୍ମୁ, ସଭାପତି ସୁବୋଧ ସୋରେନ, ସୁନ୍ଦର ମୋହନ ବାସ୍କେ, ମନୋରଞ୍ଜନ ହେମ୍ବ୍ରମ, ଲାଲବାହାଦୁର ମାରାଣ୍ଡିଙ୍କ ସହ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ.

