ମାଲକାନଗିରି, ୨୫/୦୮ (ସୁଧାଂଶୁ ଶେଖର ମହାନ୍ତି)
ବାଲିମେଳା-ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାର ଚିତ୍ରକୋଣ୍ଡା ଘାଟିରେ ରାତିରେ ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୋମବାର ରାତି ପ୍ରାୟ ୮ଟା ସମୟରେ କିଛି କାର ଚାଳକ ଘାଟି ରାସ୍ତା ଉପରେ ଏକ କୁମ୍ଭୀରକୁ ଦେଖିଥିବା ଜଣାପଡ଼ିଛି। ଏହି ଦୃଶ୍ୟର ଭିଡିଓ ମୋବାଇଲରେ କଏଦ ହୋଇଥିବା ବେଳେ ବର୍ତ୍ତମାନ ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରକୋଣ୍ଡା ଘାଟି ଅଞ୍ଚଳ ପାହାଡ଼, ଜଙ୍ଗଲ ଓ ଜଳାଶୟ ଘେରା ହୋଇଥିବାରୁ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଏଠାରେ ନୂଆ କଥା ନୁହେଁ। ତେବେ ମୁଖ୍ୟ ରାସ୍ତା ଉପରେ ରାତି ସମୟରେ କୁମ୍ଭୀର ଦେଖାଯିବା ଘଟଣା ଯାତାୟାତ କରୁଥିବା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ରାତିରେ ଏହି ରାସ୍ତା ଦେଇ ଯାଉଥିବା ବାଇକ ଚାଳକଙ୍କ ପାଇଁ ଘଟଣାଟି ଚିନ୍ତାର ବିଷୟ ପାଲଟିଛି। ଘାଟି ରାସ୍ତାରେ ହଠାତ୍ କୁମ୍ଭୀର କିମ୍ବା ଅନ୍ୟ ବନ୍ୟଜନ୍ତୁ ସାମ୍ନାକୁ ଆସିଲେ ଦୁର୍ଘଟଣାର ଆଶଙ୍କା ରହିଛି। ତେଣୁ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳ ଅଞ୍ଚଳରେ ନଜରଦାରି ବଢ଼ାଇବା ସହ ଯାତ୍ରୀମାନଙ୍କୁ ସତର୍କ କରିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ, ଭାଇରାଲ ହେଉଥିବା ଭିଡିଓଟି କେଉଁ ସ୍ଥାନର ଏବଂ କୁମ୍ଭୀରଟି ବର୍ତ୍ତମାନ ସେହି ଅଞ୍ଚଳରେ ଅଛି କି ନାହିଁ, ତାହା ସମ୍ପର୍କରେ ଅଧିକାରିକ ଭାବେ ସ୍ପଷ୍ଟତା ମିଳିନାହିଁ। ତଥାପି ରାତ୍ରି ସମୟରେ ଚିତ୍ରକୋଣ୍ଡା ଘାଟି ଦେଇ ଯାତାୟାତ କରୁଥିବା ଲୋକେ ସତର୍କତାର ସହ ଗାଡ଼ି ଚଳାଇବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

