ମାଲକାନଗିରି, ୦୫/୦୮ (ସୁଧାଂଶୁ ଶେଖର ମହାନ୍ତି)
କୋରୁକୋଣ୍ଡା ବ୍ଲକ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ଆଜି ବାଲିମେଳା ସହର ସ୍ଥିତ ଓରକେଲ ଥାନାରେ ନବନିଯୁକ୍ତ ଥାନାଧିକାରୀ ରିଗାନ କିଣ୍ଡୋଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ସଙ୍ଘର ସଭାପତି ପ୍ରଦୀପ କୁମାର ମହାରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସୌଜନ୍ୟ ସାକ୍ଷାତକାରରେ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ନୂତନ ଥାନାଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ଥାନାଧିକାରୀ ଶ୍ରୀ କିଣ୍ଡୋ ସାମ୍ବାଦିକମାନଙ୍କ ସହ ମତବିନିମୟ କରି ଓରକେଲ ଥାନା ଅଞ୍ଚଳରେ ଆଇନଶୃଙ୍ଖଳାକୁ ସୁଦୃଢ଼ ରଖିବା ସହ ଅପରାଧ ନିୟନ୍ତ୍ରଣକୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ। ବିଶେଷ କରି ଗଞ୍ଜେଇ ଚୋରାଚାଲାଣ ଉପରେ କଡ଼ା ପଦକ୍ଷେପ ନିଆଯିବ ଏବଂ ଅସାମାଜିକ କାର୍ଯ୍ୟକଳାପକୁ କୌଣସି ପ୍ରକାର ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ସେହିପରି ସାଧାରଣ ଲୋକଙ୍କ ସହଯୋଗରେ ଶାନ୍ତି, ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ସର୍ବଦା ତତ୍ପର ରହିବ ବୋଲି ସେ ପ୍ରକାଶ କରିଥିଲେ।
ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରୀ କିଣ୍ଡୋଙ୍କ ସଫଳ କାର୍ଯ୍ୟକାଳ କାମନା କରାଯିବା ସହ ପୁଲିସ ଓ ଗଣମାଧ୍ୟମ ମଧ୍ୟରେ ସୁସମ୍ପର୍କ ଅବ୍ୟାହତ ରହିବ ବୋଲି ଆଶା ବ୍ୟକ୍ତ କରାଯାଇଥିଲା। ଆଜିର ଏହି ସମ୍ବର୍ଦ୍ଧନା ସମୟରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ବିକ୍ରମ କେଶରୀ ସ୍ୱାଇଁ, ସୁଧାଂଶୁ ଶେଖର ମହାନ୍ତି, ସୀମାଞ୍ଚଳ ବିଶ୍ୱାଳ, ଅବିନାଶ ବେହେରା, ଶିବ ନାରାୟଣ ପାତ୍ର, ରାଜେଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

