ବାରିପଦା, ୦୪/୦୮(ପାଇକପୁଅ)ବାରିପଦା ସହରର ଭିତ୍ତିଭୂମି ବିକାଶକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ୯୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଦୁଇଟି ଜନହିତକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି।ଉନ୍ନତି ଯୋଜନା ଅନ୍ତର୍ଗତ ଜନସାଧାରଣଙ୍କ ଦୀର୍ଘଦିନର ଦାବି ଓ ଅଭିଯୋଗର ସମାଧାନ ପାଇଁ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି।୩ ନମ୍ବର ୱାର୍ଡ ଅନ୍ତର୍ଗତ ବାଘଡ଼ାରୋଡ ଠାରୁ ଶନିମନ୍ଦିର ପର୍ଯ୍ୟନ୍ତ ରାସ୍ତା ଏବଂ ଶୁକଯୋଡ଼ା ନାଳ ଉପରେ ନିର୍ମିତ ପୋଲକୁ ମନ୍ତ୍ରୀ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ୪୮ ଲକ୍ଷ ୨୬ ହଜାର ଟଙ୍କା ଅଟକଳ ମୂଲ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହିପରି ପାଲବଣୀ ୧୮ ନମ୍ବର ଜାତୀୟ ରାଜପଥ ଠାରୁ ନିକୋ ପଛପଟ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୪୮ ଲକ୍ଷ ୧୫ ହଜାର ଟଙ୍କାର ଅଟକଳ ବ୍ୟୟରେ ଶିଳାନ୍ୟାସ କରାଯାଇଛି।ଏହି ରାସ୍ତା ପାଇଁ ସହରର ୨୫ ଓ ୨୮ ନମ୍ବର ୱାର୍ଡବାସୀ ଦୀର୍ଘ ୪୦ ବର୍ଷ ହେବ ଦାବି କରିଆସୁଥିଲେ। ସହରବାସୀଙ୍କ ଦୀର୍ଘଦିନର ସମସ୍ୟା ସମାଧାନ କରିବା ଏବଂ ଗମନାଗମନକୁ ସୁଗମ କରିବା ଆମ ସରକାରଙ୍କ ପ୍ରାଥମିକତା। ଜନସାଧାରଣଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଉନ୍ନତି ଯୋଜନା ମାଧ୍ୟମରେ ଏହି ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଛି।ବାରିପଦା ସହରର ସର୍ବାଙ୍ଗୀନ ବିକାଶ ପାଇଁ ଆଗାମୀ ଦିନରେ ଏହିପରି ଆହୁରି ଅନେକ ଜନକଲ୍ୟାଣକାରୀ ଯୋଜନା ହାତକୁ ନିଆଯିବ ବୋଲି ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପାଧ୍ୟକ୍ଷ ସୀମା ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି, ପୌରପାଳିକା ଅଧିକାରୀ, ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

