ବାରିପଦା, ୨୮/୦୭(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ଖଣି ବିଭାଗର କନିଷ୍ଠ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର, ମୁଖ୍ୟ ଖଣି ଅଧିକାରୀ ପୀତାମ୍ବର ମହାନ୍ତ ଏବଂ କମ୍ପ୍ୟୁଟର ଡାଟା ସପୋର୍ଟ ଆସିଷ୍ଟାଣ୍ଟ ଅବିନାଶ ଦାସଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି, ଜନସାଧାରଣଙ୍କୁ ଶୋଷଣ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଜାତିଗତ ଆକ୍ଷେପ ଓ ଅସାଂସଦୀୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆସନ୍ତା ଜୁଲାଇ ୩୧ ତାରିଖରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ‘ପେସା’ ୟୁଥ୍ ଗ୍ରୁପ୍ ପକ୍ଷରୁ ଚେତାବନୀ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, କନିଷ୍ଠ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର ନିଜକୁ ଜିଲ୍ଲାର ମୁଖ୍ୟ ଦାୟିତ୍ୱରେ ଥିବା ଦର୍ଶାଇ କମ୍ପ୍ୟୁଟର ଆସିଷ୍ଟାଣ୍ଟ ଅବିନାଶ ଦାସ ଓ ଅନ୍ୟ ଅଧିକାରୀଙ୍କ ସହ ମିଶି ସାଧାରଣ ଜନତାଙ୍କୁ ଶୋଷଣ କରିବା ସହ ସରକାରୀ ରାଜସ୍ୱ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏହା ସହିତ କନିଷ୍ଠ ଖଣି ଅଧିକାରୀ ଶ୍ରୀ ପାତ୍ର ସାନ୍ତାଳ ସମ୍ପ୍ରଦାୟର ସାମାଜିକ କର୍ମୀ ଓ ସାଧାରଣ ଆଦିବାସୀ ଲୋକଙ୍କୁ ଅତ୍ୟନ୍ତ ନିନ୍ଦନୀୟ, କଟୁ ଓ ଜାତିଗତ ଆକ୍ଷେପପୂର୍ଣ୍ଣ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲେ।
ଏହି ସମ୍ପର୍କରେ ଗତ ଜୁଲାଇ ୧୫ ତାରିଖରେ ବଡ଼ସାହି ଥାନାରେ (କେସ୍ ନଂ- ୩୧୨/୨୦୨୬) ଏକ ମାମଲା ରୁଜୁ ହୋଇଥିଲା। ତେବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ, ଗତ ଜୁଲାଇ ୨୧ ତାରିଖରେ ମୟୂରଭଞ୍ଜ ଆରକ୍ଷୀ ଅଧୀକ୍ଷକ ଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗର ୭ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନନେବାରୁ ଆଦିବାସୀ ସମ୍ପ୍ରଦାୟ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପଟେ, ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓ ରେକର୍ଡିଂରୁ ଜଣାପଡ଼ିଛି ଯେ, ଖଣି ବିଭାଗର ବେଆଇନ କାର୍ଯ୍ୟକଳାପ ଓ ଚଢ଼ାଉ ନାଁରେ କୋମଳ ମନୋଭାବ ପୋଷଣ କରିବା ପ୍ରଶ୍ନରେ ଅଧିକାରୀଜଣକ ସାମାଜିକ କର୍ମୀଙ୍କ ଉପରେ ଚାପ ପକାଇବା ସହ ନିଜ ସଫେଇରେ କହିଛନ୍ତି ଯେ, ସେ ସମଗ୍ର ଜିଲ୍ଲା ଦାୟିତ୍ୱରେ ଅଛନ୍ତି ଏବଂ ଆଇନଗତ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରୁଛନ୍ତି। ତେବେ ସରକାର ଦୁଇଜଣ ନୂତନ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ ହେଁ ସେମାନଙ୍କୁ ଦାୟିତ୍ୱ ହସ୍ତାନ୍ତର ନକରି ପୁରୁଣା ଅଧିକାରୀମାନେ ନିଜ ସ୍ୱାର୍ଥ ହାସଲ ପାଇଁ ପଦବୀ ମାଡ଼ି ବସିଥିବା ଅଭିଯୋଗ ହୋଇଛି।
ଆଜି ‘ପେସା’ ୟୁଥ୍ ଗ୍ରୁପର ଜିଲ୍ଲା ସଭାପତି ଦୁଲାରାମ ମୁର୍ମୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦୁର୍ନୀତିଗ୍ରସ୍ତ ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର, ପୀତାମ୍ବର ମହାନ୍ତ ଓ ଅବିନାଶ ଦାସଙ୍କ ବିରୋଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରାଯାଉ, ନଚେତ୍ ଆସନ୍ତା ଜୁଲାଇ ୩୧ ତାରିଖରେ ‘ସାନ୍ତାଳ’ ସମ୍ପ୍ରଦାୟ ଓ ସାଧାରଣ ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଆନ୍ଦୋଳନ ଓ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

