ବାରିପଦା, ୨୬/୦୭(ପାଇକପୁଅ)ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ବାହୁଡା ଯାତ୍ରା ଶେଷ ହୋଇଛି।ଆଜି ଦ୍ଵିତୀୟ ତଥା ଶେଷ ଦିନରେ ପରମ୍ପରା ମୁତାବକ ପ୍ରଥମେ କେବଳ ମହିଳା ଭକ୍ତ ମାନେ ପ୍ରତିବର୍ଷ ଭଳି ଅଧା ବାଟରେ ଥିବା ଦେବୀ ସୁଭଦ୍ରାଙ୍କର ଦେବଦଳନ ରଥକୁ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ।ନନ୍ଦିନୀ ଦେବି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୭୫ ମିସିହାରେ ନାରୀ ସ୍ୱାଧୀନତା ତଥା ମହିଳା ସଶକ୍ତିକରଣର ପ୍ରତୀକ ସ୍ୱରୂପ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଦେବୀ ସୁଭଦ୍ରାଙ୍କ ଦେବ ଦଳନ ରଥକୁ କେବଳ ମହିଳା ମାନେ ଟାଣିବାର ପରମ୍ପରା ସୃଷ୍ଟି କରାଯାଇଥିଲା।ଯାହା ଅଦ୍ୟାବଧି ପ୍ରଚଳିତ ରହିଛି।ପରେ ପରେ ଭକ୍ତ ମାନେ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଗୁଣ୍ଡିଚା ମନ୍ଦିର ନିକଟରୁ ଟାଣିନେଇ ଶ୍ରୀମନ୍ଦିର ନିକଟରେ ପହଞ୍ଚାଇ ଥିଲେ।ସନ୍ଧ୍ୟାରେ ରଥ ଉପରେ ତିନି ଠାକୁର ଦର୍ଶନ ଦେଇଥିବା ବେଳେ ବିଭିନ୍ନ ପ୍ରକାର ନୀତିକାନ୍ତି ସରିବା ପରେ ନୀଳାଦ୍ରିବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ରଥଟାଣି ଥିଲେ। ତେବେ ରଥ ଟଣା ବେଳେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।ରଥଦଉଡି ଟିକେ ଧରିବାକୁ ଭକ୍ତମାନେ ବ୍ୟାକୁଳ ହୋଇ ପରସ୍ପର ଭିତରେ ପ୍ରତିଯୋଗିତା କରୁଥିଲେ।ଆଜି ରଥଯାତ୍ରା ପାଇଁ ବାରିପଦା ବଡ଼ଦାଣ୍ଡ ଲୋକାରଣ୍ୟ ହୋଇ ଉଠିଥିଲା।ବଡ଼ ଦାଣ୍ଡରେ ଖୋଳ କୀର୍ତ୍ତନ, ଓଡିଶୀ, ଛଉ, ପାଇକ ନୃତ୍ୟ ସହ ଆଦିବାସୀ ନୃତ୍ୟର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।ରଥ ଉପରୁ ପଣ୍ଡିତ ଭାଗବତ ପଣ୍ଡାଙ୍କ ଧାରା ବିବରଣୀ ସମସ୍ତଙ୍କୁ ଆକୃଷ୍ଟ କରୁଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ବଡ଼ ଦାଣ୍ଡର ବିଭିନ୍ନ ସ୍ଥାନରେ ଧାରା ବିବରଣୀ ପ୍ରଦାନ କରାଯାଉଥିଲା। ଘଣ୍ଟଘଣ୍ଟା, ଶଙ୍ଖ ଧ୍ଵନିସହ ଜୟ ଜଗନ୍ନାଥ ଏବଂ ହରିବୋଲ ଧ୍ଵନୀରେ ଉଛୁଳି ପଡୁଥିଲା ୨ୟ ଶ୍ରୀକ୍ଷେତ୍ର ବାରିପଦା ବଡ଼ଦାଣ୍ଡ।ତେବେ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ନୀଳାଦ୍ରିବିଜେ ବେଳେ ଲକ୍ଷ୍ମୀ ଭେଟ ପରମ୍ପରା ବେଶ ଉତ୍ସାହପ୍ରଦ ହୋଇଥାଏ।ମା ଲକ୍ଷ୍ମୀଙ୍କୁ ଛାଡି ମହାପ୍ରଭୁ ୯ ଦିନପାଇଁ ମାଉସୀ ଘରକୁ ଭାଇ ଭଉଣୀ ସହ ଚାଲିଯାଉଥିବାରୁ ମା ଲକ୍ଷ୍ମୀ ଅଭିମାନ କରି ପ୍ରଭୂ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ବାଧା ଦେଇ ଥାନ୍ତି।ଏହି ସମୟରେ ଲକ୍ଷ୍ମୀ ଭେଟ ଗୀତ ମାଧ୍ୟମରେ ଜଗନ୍ନାଥ ଏବଂ ଲକ୍ଷ୍ମୀ ଙ୍କର କଥୋପକଥନ ହୋଇଥାଏ।ଶେଷରେ ରସଗୋଲା ଦେଇ ଜଗନ୍ନାଥ ଲକ୍ଷ୍ମୀଙ୍କ ଅଭିମାନ ଭଙ୍ଗ କଲା ପରେ ଶ୍ରୀମନ୍ଦିରରେ ପ୍ରବେଶ କରିଥାନ୍ତି।ତେବେ ଚଳିତ ରଥ ଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଛୋଟ ମୋଟ ଘଟଣାକୁ ଛାଡି ଦେଲେ ଚଳିତ ରଥଯାତ୍ରା ଶାନ୍ତି ଶୃଙ୍ଖଳା ରେ ସମାପ୍ତ ହୋଇଛି।

