ବାରିପଦା,୨୪/୦୭(ପାଇକପୁଅ)ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ କୃଷି ସୂଚନା ଓ ପରାର୍ମଶ କେନ୍ଦ୍ର କାର୍ଯ୍ୟାଳୟରେ ମତ୍ସ୍ୟ ବିଭାଗ ତରଫରୁ ଉନ୍ନତ ମତ୍ସ୍ୟଚାଷ ସମ୍ବନ୍ଧୀୟ ଏକ ଦିବସୀୟ ତାଲିମ ତଥା ସଚ଼େତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସହକାରୀ ମତ୍ସ୍ୟ ଅଧିକାରୀ ଡ଼.ସୁବଳ କୁମାର ଘୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶାମାଖୁଣ୍ଟା ବ୍ଲକ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ସମ୍ବିତ ମାନସିଂ ମୁଖ୍ୟ ଅତିଥି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ସଞ୍ଜିବ କୁମାର ସିଂ, ଅପିକ୍ରାର ସହାୟକ କମଲେଶ ଗିରି ଏବଂ ଶାମାଖୁଣ୍ଟା ବ୍ଲକ ଜୁନିୟର ମତ୍ସ୍ୟ ବୈଷୟିକ ସହାୟକ ଶୁଭେନ୍ଦୁ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ଲୋକାଭିମୁଖୀ ଯୋଜନା ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅର୍ନ୍ତଗତ ସମସ୍ତ ଯୋଜନା ଯଥା ନୂତନ ପୋଖରୀ ଖନନ ପାଇଁ ମତ୍ସ୍ୟ ପୋଖରୀ ଯୋଜନା, ପୁରାତନ ପୋଖରୀରେ ମାଛ ଚାଷ ପାଇଁ ଇନପୁଟ ସହାୟତା, ଗୁଣ୍ଡ ଯାଆଁଳ ଉନ୍ନତମାନର ଫ୍ରାଏ ଓ ଅଙ୍ଗୁଳିକା ଯାଆଁଳ ଉତ୍ପାଦନ ନିମନ୍ତେ ଆର୍ଥିକ ସହାୟତା, ଜୈବକୁଞ୍ଜ କୁଣ୍ଡରେ ମାଛ ଚାଷ, ଫାର୍ମ ପୋଖରୀ ଇନପୁଟ, ପଞ୍ଚାୟତ ପୋଖରୀରେ ମାଛ ଚାଷ ନିମନ୍ତେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଇନପୁଟ ସହାୟତା, ଜଳରେ ଅମ୍ଳଜାନ ବୃଦ୍ଧି ନିମନ୍ତେ ଏଇରେଟର ମେସିନ ସହାୟତା, ମାଛ ଧରିବା ନିମନ୍ତେ ମାଛ ଜାଲ ସହାୟତା, ପୋଖରୀ ପ୍ରସ୍ତୁତିକରଣ, ରୋଗ ଏବଂ ଖାଦ୍ୟ ପରିଚାଳନ ସହିତ ଉନ୍ନତ ମାଛ ଚାଷ ପଦ୍ଧତି ଆଦି ବିଷୟରେ ଆଲୋଚନା କରାଯାଇଥିଲା।

